ଭୁବନେଶ୍ୱର: ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା । ପଶ୍ଚିମା ଝଡ ପ୍ରଭାବରେ ସପ୍ତୋହ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଆଗାମି ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ , ଯାଜପୁର ଏବଂ କେନ୍ଦ୍ରାପଡା ଜିଲ୍ଲାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ଥିବାରୁ ଉପରୋକ୍ତ ଜିଲ୍ଲା ଗୁଡିକୁ ୟୋଲୋ ୱାର୍ଣ୍ଣିଂ କରାଯାଇଛି ।
ସେପଟେ ୨୦ ତାରିଖରୁ ଉତ୍ତର ଓଡ଼ିଶାର ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଉତ୍ତର ଓଡ଼ିଶାରେ ୨୦ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ।
ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜରେ ଏହି ୪ ଦିନରେ ସବୁଠାରୁ ଅଧିକ ବର୍ଷା ହୋଇପାରେ। ତେବେ ଯାଜପୁର, କେନ୍ଦୁଝର ଓ ଢେଙ୍କାନାଳରେ ୩୦ ମିମି ଓ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, କେନ୍ଦ୍ରାପଡ଼ା ଓ ଆଭ୍ୟନ୍ତରୀଣ କଟକରେ ୫-୧୫ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ।