ଆସନ୍ତା ୨-୩ ଦିନରେ କିଛି ଅଞ୍ଚଳକୁ ଛୁଇଁବ ମୌସୁମୀ

ଆସନ୍ତା ୨-୩ ଦିନ ଭିତରେ ରାଜ୍ୟର ଆଉ କିଛି ଅଞ୍ଚଳକୁ ମାଡ଼ିପାରେ ମୌସୁମୀ ।

0

(ଭୁବନେଶ୍ୱର) : ଆସନ୍ତା ୨-୩ ଦିନ ଭିତରେ ରାଜ୍ୟର ଆଉ କିଛି ଅଞ୍ଚଳକୁ ମାଡ଼ିପାରେ ମୌସୁମୀ । ବିଶେଷ କରି ଦକ୍ଷିଣ ଓଡ଼ିଶା ଓ ପାଶ୍ୱର୍ବର୍ତ୍ତୀ ଜିଲ୍ଲାଗୁଡ଼ିକୁ ମୌସୁମୀ ଆଗେଇବ । ବହୁପ୍ରତୀକ୍ଷିତ ମୌସୁମୀ ଏଥର ବିଳମ୍ବରେ ଓଡ଼ିଶା ଆସିଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଜିଲ୍ଲାକୁ ମୌସୁମୀ ସମ୍ପୂର୍ଣ୍ଣ ପ୍ରବେଶ କରିଛି । ଏହାବାଦ୍‌ ନୂଆପଡ଼ା, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାକୁ ଆଂଶିକ ଛୁଇଁଛି ବୋଲି ଭାରତୀୟ ପାଣିପାଗ ବିଭାଗ ଏହି ଦାବି କରିଛି ।

ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି, ଏବେ ରାଜ୍ୟରେ ବଡ଼ ଧରଣର ବର୍ଷା ସମ୍ଭାବନା ନାହିଁ । ଆସନ୍ତା ୨୩ କିମ୍ବା ୨୪ ତାରିଖ ବେଳକୁ ରାଜ୍ୟରେ ବଡ଼ ବର୍ଷା ହୋଇପାରେ । ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ତା’ର ପ୍ରଭାବରେ ଓଡ଼ିଶା ଓ ପଶ୍ଚିମବଙ୍ଗର କେତେକ ସ୍ଥାନରେ ଅଧିକ ବର୍ଷା ହେବ । ୨୦-୨୧ ତାରିଖବେଳକୁ ଏହାର ପ୍ରଭାବ ଅନୁଭୂତ ହେବ ।

ଆସନ୍ତା ୨୦ ତାରିଖରେ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିିବଳୟ ସୃଷ୍ଟି ହୋଇପାରେ । ୨୦ରୁ ୨୩ ତାରିଖ ଅନେକ ସ୍ଥାନରେ ବିଶେଷ କରି ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ଅଛି । ଜୁନ୍‌ ଶେଷ ସପ୍ତାହରେ ବର୍ଷା ବଢ଼ିବ । ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ବଙ୍ଗୋପସାଗରରେ ଲଘୁଚାପର ସଙ୍କେତ ମିଳୁନାହିଁ । ଶୁକ୍ରବାର ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, କେନ୍ଦୁଝର ଓ ଯାଜପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ର ପୂର୍ବାନୁମାନ କରିଛି ।