ବ୍ୟୁରୋ : ପ୍ରୟାଗରାଜରେ ବିଶ୍ୱ ପ୍ରସିଦ୍ଧ ମହାକୁମ୍ଭ ମେଳା ଅନୁଷ୍ଠିତ ହେଉଛି । ଦେଶ ବିଦେଶରୁ ଅନେକ ସାଧୁ ସନ୍ଥ ଭକ୍ତ ମାନେ ଆସି ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ ପକାଉଛନ୍ତି । ଅନ୍ୟ କିଛି ସାଧୁ ଓ ସାଧାରଣ ଲୋକେ କଳ୍ପବାସ କରୁଛନ୍ତି । ଦାନ, ପରିତ୍ରାଣ ଏବଂ ପାପରୁ ମୁକ୍ତି ପାଇବା ପାଇଁ କୁମ୍ଭମେଳା ହେଉଛି ସର୍ବୋତ୍ତମ ସମୟ । କିନ୍ତୁ ଏହି ଦାନ ପରମ୍ପରାର ମେଳା କିଏ ଆରମ୍ଭ କରିଥିଲେ ? ଯେଉଁ ମେଳାକୁ ସର୍ବବୃହତ୍ ଧାର୍ମିକ ମେଳା କୁହାଯାଉଛି । ଏହି କୁମ୍ଭ ମେଳା ସମ୍ବନ୍ଧରେ ବେଦ ଏବଂ ପୁରାଣରେ ମଧ୍ୟ ଉଲ୍ଲେଖ ରହିଛି । ଏହି କୁମ୍ଭ ମେଳା ରାଜା ହର୍ଷବର୍ଦ୍ଧନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିବେଚନା କରାଯାଏ । ଐତିହାସିକଙ୍କ ଅନୁସାରେ, ୧୬ ବର୍ଷ ବୟସରେ ରାଜା ହୋଇଥିବା ହର୍ଷବର୍ଦ୍ଧନ କୁମ୍ଭମେଳା ଆରମ୍ଭ କରିଥିଲେ । ଏହା ବିଶ୍ୱାସ ରହିଛି ଯେ ପ୍ରତି ବର୍ଷ ନିଜର ସମସ୍ତ ସମ୍ପତ୍ତି ସେ ଦାନ କରୁଥିଲେ । ଯେପର୍ଯ୍ୟନ୍ତ ତାଙ୍କର ସମସ୍ତ ସମ୍ପତ୍ତି ଶେଷ ହୋଇନଥାଏ ସେ ଦାନ ଜାରି ରଖିଥାନ୍ତି । ଐତିହାସିକ କେ.ସି. ଶ୍ରୀବାସ୍ତବଙ୍କ ରଚିତ ପୁସ୍ତକ ‘ପ୍ରାଚୀନ ଭାରତର ଇଚ୍ଛିହାସ’ରେ ଏହା ଉଲ୍ଲେଖ ରହିଛି ।
ହର୍ଷବର୍ଦ୍ଧନ (୫୯୦ – ୬୪୭) ପ୍ରାଚୀନ ଭାରତର ସମ୍ରାଟ ଥିଲେ । ଉତ୍ତର ଭାରତର ଅନେକ କ୍ଷେତ୍ରରେ ଏକ ଶକ୍ତିଶାଳୀ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ । ପଞ୍ଜାବ ବ୍ୟତୀତ ସମସ୍ତ ଉତ୍ତର ଭାରତ ଉପରେ ଶାସନ କରିଥିଲେ । ଭାରତର ଶେଷ ମହାନ ସମ୍ରାଟ ଭାବେ ହର୍ଷବର୍ଦ୍ଧନଙ୍କୁ ବିବେଚନା କରାଯାଏ । ଯିଏ କି କନୌଜକୁ ରାଜଧାନୀ କରି ସମଗ୍ର ଉତ୍ତର ଭାରତକୁ ଏକତ୍ର କରିବାରେ ସଫଳ ହୋଇଥିଲେ ।
କଥା ରହିଛି କି, ରାଜା ହର୍ଷବର୍ଦ୍ଧନ ପ୍ରୟାଗରାଜକୁ ବହୁ ଦାନ କରିଥିଲେ। ଦାନ କରିବା ପୂର୍ବରୁ ସେ ଭଗବାନ ସୂର୍ୟ୍ୟ, ଶିବ ଏବଂ ବୁଧଙ୍କ ପୂଜା କରୁଥିଲେ। ଏହା ପରେ ବ୍ରାହ୍ମଣ, ଆଚାର୍ୟ୍ୟ ଏବଂ ବୌଦ୍ଧ ଭିକ୍ଷୁକମାନଙ୍କୁ ଦାନ ପ୍ରଦାନ କରୁଥିଲେ । ସମସ୍ତ ସମ୍ପତ୍ତି ସହ ନିଜର ରାଜକୀୟ ପୋଷାକ ମଧ୍ୟ ସେ ଦାନ କରିଦେଉଥିଲେ । ସେ କାଳେ ତାଙ୍କ ସମ୍ପତ୍ତିକୁ ଚାରି ଭାଗରେ ବିଭକ୍ତ କରୁଥିଲେ । ଯାହା ରାଜପରିବାର, ସେନା/ପ୍ରଶାସନ, ଗରିବ ଓ ଧାର୍ମିକ ଅନୁଦାନ ପାଇଁ ଥିଲା । ତେବେ ବେଦ ପୁରାଣରେ ମଧ୍ୟ କୁମ୍ଭ ମେଳାର ବର୍ଣ୍ଣନା ଦେଖିବାକୁ ମିଳିଥାଏ । କୁହାଯାଏ, ସମୁଦ୍ର ମନ୍ଥନ ସମୟରେ ବାହାରିଥିବା ଅମୃତର ବୁନ୍ଦା ଯେଉଁ ସ୍ଥାନରେ ପଡିଛି ସେଠାରେ ହିଁ କୁମ୍ଭ ସଂଗଠିତ ହୋଇଛି ।
ଐତିହାସିକମାନଙ୍କ ଦ୍ୱାରା ଲିଖିତ କୁମ୍ଭମେଳାର ପୁରୁଣା ଲିଖିତ ପ୍ରମାଣ ଅନୁଯାୟୀ, ଏହାର ଇତିହାସ ୨୦୦୦ ବର୍ଷ ପୁରୁଣା ବୋଲି ବିବେଚନା କରାଯାଏ । ଷଷ୍ଠ ଶତାବ୍ଦୀରେ ରାଜା ହର୍ଷବର୍ଦ୍ଧନଙ୍କ ସମୟରେ ଚାଇନାର ଭ୍ରମଣକାରୀ ହୁଏନ୍ସାଙ୍କ ଦ୍ୱାରା ଉଲ୍ଲେଖ କରାଯାଇଛି। ହୁଏନ୍ସା କନୌଜ ଠାରେ ଆୟୋଜିତ ଏକ ବିଶାଳ ସଭା ବିଷୟରେ ଉଲ୍ଲେଖ କରିଛନ୍ତି, ଯେଉଁଥିରେ ପ୍ରତି ପାଞ୍ଚ ବର୍ଷରେ ହଜାର ହଜାର ଭିକାରୀ ଅଂଶଗ୍ରହଣ କରିଥିଲେ ଏବଂ ମହାମୋକ୍ଷ ହରିଶଦ ନାମକ ଏକ ଧାର୍ମିକ ପର୍ବର ଆୟୋଜନ କରିଥିଲେ ।