ନୂଆଦିଲ୍ଲୀ: କିଏ ବସିବେ ବିଜେପି ଟପ୍ ପୋଷ୍ଟରେ ? ଜେପି ନଡ୍ଡାଙ୍କ ପରେ ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ କିଏ ସମ୍ଭାଳିବେ । ଏବେ ଏନେଇ ଚାଲିଛି ଆକଳନ । ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ରେସରେ ଧର୍ମେନ୍ଦ୍ର ପ୍ରଧାନ, ଭୁପେନ୍ଦ୍ର ଯାଦବ, ବିନୋଦ ତାଓ୍ବଡେ, କେଶବ ପ୍ରସାଦ ମୌର୍ଯ୍ୟଙ୍କ ପରି ବିଜେପିର ଅନେକ ବରିଷ୍ଠ ନେତାଙ୍କ ନାଁ ଚର୍ଚ୍ଚା ହେଉଛି । ତେବେ ୨୮ଜୁଲାଇ ପରେ ଦେବେନ୍ଦ୍ର ଫଡନାବିସଙ୍କ ନାଁ ବି ରେସରେ ସାମିଲ ହୋଇଛି । ଓବିସି କାର୍ଡ, ଆଗାମୀ ନିର୍ବାଚନ, ବିଜେପି-ଆରଏସଏସର କେନ୍ଦ୍ରୀୟ ନେତାଙ୍କ ସହ ଘନିଷ୍ଠତା ଭଳି ବିଭିନ୍ନ ଆଧାରରେ ଫଡନାବିସଙ୍କ ନାଁ ଚର୍ଚ୍ଚା ହେଉଛି । ତେବେ ସାଂଗଠନିକ ଦକ୍ଷତା ସାଙ୍ଗକୁ ଲମ୍ବା ରାଜନୈତିକ ଅଭିଜ୍ଞତା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ସର୍ବୋଚ୍ଚ ପଦରେ ବସିପାରନ୍ତି ବୋଲି କୁହାଯାଉଛି ।
ବିଜେପି ଅଧ୍ୟକ୍ଷ ପଦ ପାଇଁ ଦଳିତ ଚେହେରାଙ୍କୁ ଓହ୍ଲାଇପାରେ ବୋଲି ଚର୍ଚ୍ଚା ହେଉଛି । ଯିଏ କି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ବିପକ୍ଷରେ ଦମ୍ଭର ସହ ବିଜେପିର ପକ୍ଷ ରଖିପାରିବେ । ଗତ ନିର୍ବାଚନରେ ସମ୍ବିଧାନ, ଜାତିଗତ ଜନଗଣନାକୁ ନେଇ ବିରୋଧୀ ମୁଖର ହୋଇଥିଲେ । ଆଗକୁ ବି ସମାନ ପ୍ରସଙ୍ଗରେ ବିଜେପିକୁ ଘେରିପାରନ୍ତି । ତେଣୁ ଦଳିତ ଚେହେରାଙ୍କୁ ବିଜେପି ସର୍ବୋଚ୍ଚ ପଦରେ ବସାଇପାରେ ବୋଲି ଚର୍ଚ୍ଚା ହେଉଛି ।
ଇଣ୍ଡିଆ ମେଣ୍ଟ ଲଗାତର ଜାତିଗତ ଜନଗଣନା, ଓବିସି ଓ ଦଳିତ କାର୍ଡ ଖେଳୁଥିବା ବେଳେ ବିଜେପି ପରବର୍ତ୍ତୀ ଅଧ୍ୟକ୍ଷ ପଦ ପାଇଁ ଜଣେ ଓବିସିଙ୍କୁ ବାଛିପାରେ ବୋଲି ଚର୍ଚ୍ଚା ହେଉଛି। ଏପରି ହେଲେ ଧର୍ମେନ୍ଦ୍ର ପ୍ରଧାନ ଅଧ୍ୟକ୍ଷ ହୋଇପାରନ୍ତି । ବିଜେପି କେନ୍ଦ୍ରୀୟ ସଂଗଠନରେ କାମ କରିବା ସହ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇବାର ଲମ୍ବା ଅଭିଜ୍ଞତା ସାଙ୍ଗକୁ କେନ୍ଦ୍ର ନେତୃତ୍ବ ସହ ଧର୍ମେନ୍ଦ୍ରଙ୍କ ଘନିଷ୍ଠତା ରହିଛି ।
ସେହିପରି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ଦଳୀୟ ସଂଗଠନଠାରୁ ଆରମ୍ଭ କରି ମହାରାଷ୍ଟ୍ର ସରକାରରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ସମ୍ଭାଳିଛନ୍ତି । ବିଜେପି ଓ ସଂଘର ଶୀର୍ଷ ନେତୃତ୍ବ ସହ ତାଙ୍କର ସଂପର୍କ ବେଶ୍ ଭଲ । ମହାରାଷ୍ଟ୍ରରେ ବିଜେପିକୁ କ୍ଷମତାକୁ ଆଣିବାରେ ବି ଫଡନାବିସଙ୍କର ଭୂମିକା ରହିଥିଲା । ଭୁପେନ୍ଦ୍ର ଯାଦବଙ୍କ ସହ କେଶବ ପ୍ରସାଦ ମୌର୍ଯ୍ୟଙ୍କ ନାଁ ବି ବିଜେପି ରାଷ୍ଟ୍ରୀୟ ସଭାପତି ପଦ ପାଇଁ ଚର୍ଚ୍ଚାରେ ରହିଛି । ଏମାନଙ୍କ ଭିତରୁ କାହାକୁ ଦଳ ବାଛିବେ ବିଜେପି ଟପ୍ ପୋଷ୍ଟ ପାଇଁ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।