ସୁପର ସନ୍‌ଡେ’ରେ ସୁପର ମୁକାବିଲା: ବାରବାଟୀରେ କିଏ ମାରିବ ବାଜି ?

0

ଭୁବନେଶ୍ୱର: ସୁପର ସନ୍‌ଡେ’ରେ ସୁପର ମୁକାବିଲା। ପିଚ୍ ରେଡି, ଗ୍ରାଉଣ୍ଡ ରେଡି, ଷ୍ଟାଡିୟମ ବି ତୟାର। ଇଣ୍ତିଆ ଇଣ୍ତିଆ ଧ୍ୱନିରେ କମ୍ପିବ ବାରବାଟୀ ଷ୍ଟାଡିଅମ । ଆଜି ସଂଧ୍ୟା ୭ଟାରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ସିରିଜର ଦ୍ୱିତୀୟ ଟି-୨୦କୁ ନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ଅଢେଇ ବର୍ଷ ପରେ ଆଜି ବାରବାଟୀରେ ଟି-୨୦ ମ୍ୟାଚ ଖେଳାଯିବ ।ଏଥିପାଇଁ ଜୋରଦାର ଅଭ୍ୟାସ କରିଛନ୍ତି ଦୁଇଦଳ। ପ୍ରଥମ ମ୍ୟାଚରେ ପରାଜୟ ପରେ ଭାରତ ଏହି ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିବାକୁ ଜୋରଦାର ଚେଷ୍ଟା କରିବ । ମ୍ୟାଚରେ ଟସ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ।ଦୁଇ ଦଳ ଦୀର୍ଘ ୭ ବର୍ଷ ପରେ ବାରବାଟୀରେ ମୁହାମୁହିଁ ହେବାକୁ ଯାଉଛନ୍ତି ।

ଅନ୍ୟପକ୍ଷେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ବେଲ ବଜାଇ ମ୍ୟାଚର ଶୁଭାରମ୍ଭ କରିବେ । ସାତ ବର୍ଷ ତଳେ ଭାରତ ଏହି ପିଚରେ ଦକ୍ଷିଣ ଆଫ୍ରିକା ବିରୋଧରେ ପରାଜୟ ହୋଇଥିଲା । ଆଉ ଆଜି ସମାନ ପିଚରେ ଭାରତ ଦକ୍ଷିଣ ଆଫ୍ରିକା ପାଖରୁ ଆଜି ପ୍ରତିଶୋଧ ନେବ ବୋଲି ଭାରତୀୟ କ୍ରୀଡାପ୍ରେମୀ ଆଶା ରଖିଛନ୍ତି । ମ୍ୟାଚ ପୂର୍ବରୁ ଶନିବାର ଉଭୟ ଦଳର ଖେଳାଳି ଜୋରଦାର ପ୍ରାକ୍ଟିସ୍ କରିଥିଲେ ।ସେପଟେ ଭାରତ କଟକରେ କମ୍ ବ୍ୟାକ୍ କରିବ ବୋଲି ଦୃଢତାର ସହ କହିଛନ୍ତି ଭୁବନେଶ୍ବର କୁମାର ।

ପ୍ରାକ୍ଟିସ୍ ବେଳେ ବି ଷ୍ଟାଡିଅମରେ ନିଜ ପ୍ରିୟ ଖେଳାଳିଙ୍କୁ ଦେଖିବା ପାଇଁ ନାହଁ ନଥିବା ଭିଡ଼ ଓ ଉତ୍ସାହ ଦେଖିବାକୁ ମିଳିଥିଲା। ସାଧାରଣ ଦର୍ଶକଙ୍କ ପାଇଁ ୬ ନମ୍ବର ଗ୍ୟାଲେରି ଖୋଲା ରହିଥିବା ବେଳେ , ହଜାର ହଜାର ଦର୍ଶକ ସେଠାରେ ଖେଳାଳିଙ୍କ ପ୍ରାକ୍ଟିସ୍ ଦେଖିଥିଲେ । ଦର୍ଶକମାନେ ବି ଖେଳାଳିଙ୍କୁ ବେଶ ଉତ୍ସାହିତ କରୁଥିଲେ । ପ୍ରାକ୍ଟିସ୍ ବେଳେ ଏତେ ଦର୍ଶକଙ୍କ ଷ୍ଟାଡିୟମରେ ଉପସ୍ଥିତିକୁ ନେଇ ଏହା ମ୍ୟାଚର ଭ୍ରମ ସୃଷ୍ଟି କରିଥିଲା । ଏହାର ଭିଡିଓ ଫଟୋକୁ ବିସିସିଆଇ ତାର ଟ୍ବିଟରରେ ସେୟାର କରି ‘ ମ୍ୟାଚ୍ ଡେ ଫିଲସ୍ ଅନ୍ ଏ ନନ୍ ମ୍ୟାଚ୍ ଡେ’ ବୋଲି ଲେଖିଥିଲା ।ତେବେ ପଡିଆ ଭିତରକୁ ଯିବାକୁ ହେଲେ ଦର୍ଶକଙ୍କ ପାଇଁ ଅନେକ କଟକଣା ଲଗାଯାଇଛି । ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ନିଜ ନିଜ ଗେଟ୍ ଦେଇ ଭିତରକୁ ଯିବେ ଦର୍ଶକ । ସାଙ୍ଗରେ କେବଳ ମୋବାଇଲ୍ , ଚଷମା, ଟିକେଟ୍ , ମାସ୍କ ନେଇପାରିବେ । ପାଣି ବୋତଲ, ହେଲମେଟ୍, ଖୁଚୁରା ପଇସା ଏବଂ ଖାଇବା ପ୍ୟାକେଟ୍ ନେବା ମନା ହୋଇଛି । ସେହିଭଳି ବ୍ୟାଗ୍, ଲାଠି, ଲାଇଟର ଏବଂ ଦିଆସିଲି ବକ୍ସ ନେବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।ଅନ୍ୟପଟେ ବାରବାଟୀରେ କିଏ ମାରିବ ବାଜି? ତାକୁ ସମସ୍ତଙ୍କ ଅପେକ୍ଷା ।