ଆବାସିକ ବିଦ୍ୟାଳୟରେ ଚାଲିଥିଲା ଚୋରି । ପିଲାଙ୍କ ଭୋଜନ ରକ୍ଷଣା ବେକ୍ଷଣ ନାଁ ରେ ହେଉଥିଲା ହରି ଲୁଟ । ଖବର ପାଇ ଚଢାଉ କରିଥିଲେ ବିଧାୟକ । ମାଲାକାନଗିରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ପଦ୍ମଗିରି ସରକାରୀ ଉଚ୍ଚ ବିଦ୍ୟାଳୟରେ ଅବ୍ୟବସ୍ଥା ଚାଲୁଥିବା ଖବର ପାଇଁ ପହଞ୍ଚିଥିଲେ ସ୍ଥାନୀୟ ବିଧାୟକ ନରସିଂହ ମାଡକାମୀ । ସ୍ଥିତି ଅନୁଧ୍ୟାନ କରି ପିଲାଙ୍କ ଖାଦ୍ୟରୁ ଚାଉଳ ଚୋରି ଘଟଣାର ପର୍ଦ୍ଦଫାସ କରିଛନ୍ତି ବିଧାୟକ । ବିଧାୟକ ନରସିଂହ ମାଡକାମୀଙ୍କ ଗାଁ ନିକଟବର୍ତି ପଦ୍ମଗିରି ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ୟାପକ ଅନିୟମିତିତା ଅଭିଯୋଗ ଆସିବା ପରେ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଅଚାନକ ଚଢାଉ କରିଥିଲେ। ଗୋଟିଏ ଶ୍ରେଣୀରେ ୮୪ ପିଲାଙ୍କ ଉପସ୍ଥାନ ଦର୍ଶାଯାଇଥିବା ବେଳେ ୫୪ ଜଣ ପିଲା ଥିଲେ । ସେହିପରି ବିଦ୍ୟାଳୟରେ ମୋଟ ୫୪୫ ଛାତ୍ରଛାତ୍ରୀ ଥିବା ଉପସ୍ଥାନରେ ଦର୍ଶାଯାଇଛି । କିନ୍ତୁ ଶ୍ରେଣୀ ଗୃହର ଉପସ୍ଥିତି ଓ ଉପସ୍ଥାନ ଖାତାରେ ତଥ୍ୟ ମେଳ ଖାଉନଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ବିଧାୟକ । ଖାଲିସେତିକି ନୁହେଁ ଚଢାଉ ବେଳେ ଗୋଦାମ ଗୃହରେ ୧୪୧ ବସ୍ତା ଚାଉଳ ନିଅଣ୍ଟ ଥିବା ଜଣାପଡ଼ିଛି । ଏହାସହ ପିଲାଙ୍କ ପାଇଁ ଆସୁଥିବା ତେଲ, ସାବୁନ ଯୋଗାଣରେ ମଧ୍ୟ ଗୋଳମାଳିଆ ସ୍ଥିତି ଜଣିବାକୁ ପାଇଛନ୍ତି ବିଧାୟକ ଓ ଏଡିଏମ। ବିଦ୍ୟାଳୟର ସ୍ୱଚ୍ଛାତ ମଧ୍ୟ ଆଦୌ ଭଲ ନଥିବାରୁ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଚେତାବନୀ ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ । ତେବେ ମାଲକାନଗିରି ଜିଲ୍ଲାର ବିଭିନ୍ନ ଆବାସିକ ବିଦ୍ୟାଳୟରେ ନିମ୍ନମାନର ଖାଦ୍ୟ ଯୋଗାଣ ନେଇ ବାରମ୍ବାର ଅଭିଯୋଗ ହେଉଥିବା ବେଳେ ବିଦ୍ୟାଳୟର ବ୍ୟବସ୍ଥାରେ କେବେ ଆସିବ ସୁଧାର, ତାହା ଦେଖିବାକୁ ବାକି ।