ପୂର୍ବତନ ଆଇନମନ୍ତ୍ରୀ ବନ୍ଧା ହେବେ କି ?

ମାହାଙ୍ଗା ଡବଲ ମର୍ଡର ଘଟଣା

0

ଭୁବନେଶ୍ୱର : ମହାଙ୍ଗା ଡବଲ ମର୍ଡର ମାମଲା ତଦନ୍ତରେ ବିଳମ୍ବ ଯୋଗୁଁ ସାଲେପୁର ଜେଏମଏଫସି ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥିସହିତ ମାହାଙ୍ଗା ଥାନା ଅଧିକାରୀଙ୍କୁ ବିଳମ୍ବର କାରଣ ଜଣାଇବା ସହିତ ଷ୍ଟାଟସ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ପୂର୍ବତନ ଆଇନମନ୍ତ୍ରୀ ତଥା ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଡୁଆ ବଢ଼ିବାରେ ଲାଗିଛି । ଥାନାରେ ଅଭିଯୋଗ ଅନୁସାରେ ତ୍ରୟୋଦଶ ଅଭିଯୁକ୍ତ ଭାବେ ଶ୍ରୀ ଜେନାଙ୍କ ନାମ ରହିଥିଲେ ବି ତାଙ୍କୁ କାହିଁକି ତଦନ୍ତ ପରିସରଭୂକ୍ତ କରାଯାଇ ନାହିଁ, ସେନେଇ ଅଦାଲତ ପ୍ରଶ୍ନ ଉଠାଇଛନ୍ତି ।

ସୂଚନାନୁସାରେ, ମାହାଙ୍ଗାରେ ଆବାସ ଯୋଜନାରେ ବ୍ୟାପକ କେଳେଙ୍କାରୀ ହୋଇଥିବା ଘଟଣାର ପ୍ରତିବାଦ କରିବାରୁ ବିଜେଡିର କିଛି ସମର୍ଥକ ବିଜେପି ନେତା କୁୂୂଳମଣୀ ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରିଥିଲେ । ଏହି ଘଟଣାରେ ମୃତ କୂଳମଣୀଙ୍କ ପୁଅ ରମାକାନ୍ତ ବରାଳ ୧୩ଜଣ ଅଭିଯୁକ୍ତଙ୍କ ନାମରେ ମାହାଙ୍ଗା ଥାନାରେ ଅଭିଯୋଗ କରିଥିଲେ । ଏହାକୁ ଆଧାର କରି ତକ୍ରାଳୀନ ଥାନାଧିକାରୀ ନିହାର ରଞ୍ଜନ ମହାନ୍ତି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ମାତ୍ର ସେହି ଅଭିଯୋଗ ତାଲିକାରେ ରହିଥିବା ୧୩ଜଣଙ୍କ ମଧ୍ୟରୁ ୧୨ଜଣଙ୍କୁ ଗିରଫ କରି ଜେଲ ପଠାଇ ଦିଆଗଲା । ହେଲେ ତକ୍ରାଳୀନ ଆଇନ ତଥା ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଛାଡି ଦିଆଗଲା । କାରଣ ସେତେବେଳେ ଆଇନ ବିଭାଗ ତାଙ୍କ ହାତରେ ରହିଥିଲା । ଏନେଇ ରମାକାନ୍ତ ପୁଣି ଥରେ କୋର୍ଟର ଦ୍ୱାରସ୍ଥ ହେଲେ । ତାଙ୍କର ଅଭିଯୋଗ ଅନୁସାରେ, ଶ୍ରୀ ଜେନାଙ୍କୁ କାହିଁକି ଗିରଫ କରାଯାଉ ନାହିଁ କି ମୋତେ କାହିଁକି ନ୍ୟାୟ ମିଳୁନାହିଁ ବୋଲି ଅଭିଯୋଗରେ ଅପିଲ କରିଥିଲେ । ମାତ୍ର ତକ୍ରାଳୀନ ଥାନାଧିକାରୀ ନିଜର ଔଦ୍ଧତ୍ୟ ଗୁଣ ଦେଖାଇ ଶ୍ରୀ ଜେନାଙ୍କୁ ତଦନ୍ତ ପରିସରଭୂକ୍ତ କରିନଥିଲେ । ଫଳରେ କୋର୍ଟ ଏଥିରେ ଅସନ୍ତୋଷ ପ୍ରକାଶ କରିଥିଲେ । ଫଳରେ ଆସନ୍ତା ୨୦ତାରିଖ ସୁଦ୍ଧା ତଦନ୍ତରେ ବିଳମ୍ବର କାରଣ ସମେତ ଷ୍ଟାଟସ ରିପୋର୍ଟ ଦେବାକୁ ମାହାଙ୍ଗା ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏଠାରେ ପ୍ରଶ୍ନ ଊଠୁଛି, ତକ୍ରାଳୀନ ଥାନାଧିକାରୀ ନିହାର ରଞ୍ଜନ ମହାନ୍ତି ବର୍ତ୍ତମାନ ନାହାନ୍ତି, ପୁଣି ପୂର୍ବତନ ଆଇନ ତଥା ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ଆଉ ମନ୍ତ୍ରୀ ନାହାନ୍ତି । ତେଣୁ ମାହାଙ୍ଗା ପୋଲିସ ଶ୍ରୀ ଜେନାଙ୍କୁ ଜେରା କରିବା ସହ ତାଙ୍କୁ ଜେଲ ପଠାଇବ କି? ଏଠାରେ ସୂଚନାଯୋଗ୍ୟ, ଗତ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମଣ୍ଡଳରେ ଥିବା ଦୁର୍ନୀତିଗ୍ରସ୍ତ ମନ୍ତ୍ରୀ ବା ବିଧାୟକଙ୍କ ବିରୋଧରେ ଶକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହାର ଫଳ ସ୍ୱରୁପେ ମନ୍ତ୍ରୀମଣ୍ଡଳ ସମ୍ପୂର୍ଣ୍ଣ ଭଙ୍ଗ କରିଥିଲେ । ଆଉ ଦୁର୍ନୀତିଗ୍ରସ୍ତ ମନ୍ତ୍ରୀ ମାନଙ୍କୁ ବିଦାୟ କରି ନୂଆ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି । ତେବେ ପୂର୍ବତନ ଆଇନ ଏବଂ ପଞ୍ଚାୟତରାଜ ମନ୍ତ୍ରୀ ଶ୍ରୀ ଜେନାଙ୍କ ଆଗାମୀ ଭବିଷ୍ୟତ କଣ ହେବ, ତାହା ଆଗାମୀ ଦିନରେ ଜଣାପଡିବ ।