ବିନା କୋଭିଡ ଟେଷ୍ଟରେ ରିପୋର୍ଟ ପଜିଟିଭ

0

ଭୁବନେଶ୍ୱର: ବିଶ୍ୱ ମହାମାରୀ କରୋନାର କବଜାରୁ ମୁକାବିଲା ପାଇଁ ବିଶ୍ୱ ବ୍ୟାପୀ ଉଦ୍ୟମ ଚାଲିଛି । ଏପରି ସମୟରେ ଏହି ମହାମାରୀ ଉପରେ ଲଗାମ ଲଗାଇବାକୁ ରାଜ୍ୟ ସରକାର ଅଧିକ ଟେଷ୍ଟିଂ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି । ତେଣୁ ସରକାରଙ୍କ ତରଫରୁ ରାଜ୍ୟବ୍ୟାପୀ ଟେଷ୍ଟିଂ କରାଯାଉଛି । କିନ୍ତୁ ଟେଷ୍ଟିଂରେ ବ୍ୟାପକ ଘୋଟାଲା ନେଇ ଏକ ତଥ୍ୟ ଆମ ନିକଟକୁ ଆସିଛି । ପୂର୍ବରୁ କରୋନା ପାଇଁ ହୋଇଥିବା ବିଭିନ୍ନ ଯୋଜନା ତଥା ଚିକିତ୍ସାରେ ବ୍ୟାପକ ଦୁର୍ନୀତି ନେଇ ବିଭିନ୍ନ ଖବର ସର୍ବସମ୍ମୁଖକୁ ଆସିଛି । ଏବେ ଟେଷ୍ଟିଂରେ ହୋଇଥିବା ନୂତନ ପ୍ରକାର ଘୋଟାଲା ସାମ୍ନାକୁ ଆସୁଛି । ପୂର୍ବରୁ ଲୋକଙ୍କ ନେଗେଟିଭ ରିପୋର୍ଟ ସତ୍ତେ୍ୱ ସେମାନଙ୍କୁ ପଜିଟିଭ କୁହାଯାଇ ହସ୍ପିଟାଲରେ ଭର୍ତ୍ତି କରାଯିବାର ଅନେକ ଖବର ସମ୍ପର୍କରେ ଆମେ ସୋସିଆଲ ମିଡିଆରେ, ବିଭିନ୍ନ ଗଣମାଧ୍ୟମରେ ଖବର ପାଇଛୁ । ଏବେ କିନ୍ତୁ ଲୋକଙ୍କର ଜମାରୁ ଟେଷ୍ଟ ହୋଇ ନ ଥିଲେ ବି ସେମାନଙ୍କ ରିପୋର୍ଟ ପଜିଟିଭ ଥିବା ଖବର ଆସୁଛି । ଘଟଣାଟି ଘଟିଛି ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ।
ଗତ ରବିବାର ଦିନ ପିପିଲି ବ୍ଲକ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ସ୍ୱପ୍ନେଶ୍ୱର ଦେବ ହାଇସ୍କୁଲ ପରିସରରେ ଅଞ୍ଚଳବାସୀଙ୍କ ପାଇଁ ଟେଷ୍ଟିଂ ବ୍ୟବସ୍ଥା ହୋଇଥିଲା । ମଙ୍ଗଳପୁର ମେଡିକାଲ ପକ୍ଷରୁ ଟେଷ୍ଟ କରାଯାଉଥିଲା । ପ୍ରଥମେ ଲୋକଙ୍କୁ ନାମ ପଞ୍ଜିକରଣ ସହ ଲାଇନରେ ଠିଆ ହେବାକୁ ହେଉଥିଲା । ଲକ୍ଷ୍ମୀ ନାରାୟଣପୁର ପଞ୍ଚାୟତ ଅନ୍ତର୍ଗତ ଶାରଳ ଗ୍ରାମର ଦୁଇ ଜଣ ଟେଷ୍ଟ କରିବାକୁ ଯାଇଥିଲେ ଓ ନିଜର ନାମ ମଧ୍ୟ ପଞ୍ଜିକରଣ କରିଥିଲେ । କିନ୍ତୁ ସେଠାରେ ଟେଷ୍ଟି ପାଇଁ ଲମ୍ବା ଧାଡିକୁ ଦେଖିବାକୁ ପାଇଥିଲେ । ସେମାନଙ୍କର ଅନ୍ୟ ଏକ ଜରୁରୀ କାମ ମଧ୍ୟ ସେହି ସମୟରେ କରିବାର ଥିଲା । ତେଣୁ ଭାବିଲେ ଆଗ କାମ ସାରି ଆସିବେ । ସେତେବେଳେକୁ ସେମାନଙ୍କ ନମ୍ବର ମଧ୍ୟ ଆସିଯିବ । ଏହା ଭାବେ ଉଭୟ ସେଠାରୁ ଅନ୍ୟ କାମରେ ବାହାରି ଯାଇଥିଲେ । କାମ ସାରି ଆସିବା ବେଳକୁ ବିଳମ୍ବ ହୋଇଯାଇଥିଲା ଓ ସେଠାରୁ କ୍ୟାମ୍ପ ଉଠିଯାଇଥିଲା । ନିରାଶ ହୋଇ ଉଭୟ ଘରକୁ ଫେରିଥିଲେ । କିନ୍ତୁ ଆଜି ଉଭୟଙ୍କ ନିକଟକୁ ବ୍ଲକ କୋଭିଡ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଫୋନ ଆସିଲା କି ସେମାନଙ୍କ କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ସେମାନଙ୍କୁ ହସ୍ପିଟାଲ ନିଆଯିବ । ତେଣୁ ସେମାନଙ୍କୁ ହସ୍ପିଟାଲ ଯିବା ଲାଗି ପ୍ରସ୍ତୁତ ରହିବାକୁ କୁହାଗଲା । ଏହା ଶୁଣି ଉଭୟଙ୍କ ମୁଣ୍ଡ ଚକର ଖାଇଲା । ଜମାରୁ ଟେଷ୍ଟ ହୋଇ ନ ଥିବା ବେଳେ ରିପୋର୍ଟ କେମିତି ପଜିଟିଭ ଆସିଲା ତାକୁ ନେଇ ସେମାନେ ବାଇଆ । ଏ ସମ୍ପର୍କରେ ସରପଞ୍ଚ ଦେବାଶୀଷ ରଥ (ମୁନା ଭାଇ)ଙ୍କୁ ଜଣାଇଲେ । ସରପଞ୍ଚ ଏହା ଶୁଣି ଘଟଣାର ସତ୍ୟାସତ୍ୟ ଜାଣିବାକୁ ଫୋନ କଲ ଆସିଥିବା ନମ୍ବରକୁ ଫୋନ କରିବାରୁ ତାଙ୍କୁ ମଧ୍ୟ ସମାନ ସୂଚନା ଦିଆଗଲା । ଜଣେ ବ୍ୟକ୍ତିର କୋଭିଡ ଟେଷ୍ଟ ହୋଇ ନ ଥିବା ବେଳେ କିପରି ତାଙ୍କ ରିପୋର୍ଟ ପଜିଟିଭ ଆସୁଛି ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଏହି ଘଟଣାକୁ ସରପଞ୍ଚ ବିରୋଧ କରୁଛନ୍ତି ।
ଏଠାରେ କହି ରଖୁ, ନିକଟରେ ଏକ ଭାଇରାଲ ଅଡିଓ କ୍ଲିପକୁ ନେଇ ଏକ ଜଣାଶୁଣା ବୈଦ୍ୟୁତିକ ଗଣମାଧ୍ୟମ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ବିଏମସି ପ୍ରଶାସନ । ଏନେଇ ଅଡିଓ କ୍ଲିପରେ ବାର୍ତ୍ତାଳାପ କରୁଥିବା ଦୁଇ ବନ୍ଧୁଙ୍କୁ ମଧ୍ୟ ଗିରଫ କରାଗଲା । ସେମାନଙ୍କୁ ପୋଲିସ ଆତଙ୍କବାଦୀଙ୍କ ପରି ବାନ୍ଧି ନେବାର ଭିଜୁଆଲ ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ଦେଖିବାକୁ ମିଳିଲା । ଏହା ପରେ ଗଣମାଧ୍ୟମଗୁଡିକ ଭୟଭୀତ ହୋଇ କୋଭିଡ କାର୍ଯ୍ୟକ୍ରମରେ ହେଉଥିବା ବିଭିନ୍ନ ତ୍ରୁଟି, ଦୁର୍ନୀତି ଉପରେ କିଛି ପ୍ରକାଶ କରିବାକୁ ଭୟ କରୁଛନ୍ତି । ଅନ୍ୟ ପଟେ ଗଣମାଧ୍ୟମର ନିଷ୍କ୍ରିୟତାକୁ ଦେଖି କୋଭିଡ ଯୋଜନାରେ ମନମୁଖି ହେଉଛି । ଦୁଇ ଜଣଙ୍କ ବିନା ଟେଷ୍ଟରେ ପଜିଟିଭ ରିପୋର୍ଟ ଆସିବାର ଅର୍ଥ କଣ? ଏହି ଘଟଣାକୁ ନେଇ ଏବେ ପ୍ରଶ୍ନ ହେଉଛି, ଏହା ଏକ ତ୍ରୁଟି ନା ଦୁର୍ନୀତି? କାହିଁକି ଏପରି ରିପୋର୍ଟ ପ୍ରସ୍ତୁତ କରାଯାଇଛି? କିଏ ଓ କାହା ସ୍ୱାର୍ଥ ପାଇଁ ଏପରି କରାଯାଉଛି? ରାଜ୍ୟ ସରକାର ବିଭିନ୍ନ ଦୁର୍ନୀତି ଘଟଣାରେ ଏକାଧିକ ଅଧିକାରୀଠୁ ଆରମ୍ଭ କରି କିରଣୀ, ଚପରାଶୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ବେଳେ ଗଣମାଧ୍ୟମରେ ପ୍ରକାଶ ପାଉଥିବା ତଥ୍ୟ ପ୍ରତି ଏପରି ବୈମାତୃକ ମନୋଭାବ କାହିଁ? କାହିଁକି ସରକାର ଗଣମାଧ୍ୟମ ତଥ୍ୟକୁ ଦୁର୍ନୀତି ମୂଳତ୍ପାଟନ ପ୍ରକ୍ରିୟାର ଏକ ଅଂଶ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି ବା ତ୍ରୁଟି ସଂଶୋଧନ କରୁ ନାହାନ୍ତି ବୋଲି ପିପିଲି ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରଶ୍ନ ହେଉଛି ।