ପରକୀୟା ପ୍ରୀତି ବିଷୟରେ ଜାଣି ପକାଇବାରୁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

0

ଚଣ୍ଡିଗଡ଼-: ମେରଠର ସୌରଭ ହତ୍ୟା ମାମଲାକୁ ଲୋକମାନେ ଭୁଲି ନଥିବା ବେଳେ, ଏବେ ପୁଣି ହରିୟାଣାରୁ ଜଣେ ୟୁଟ୍ୟୁବର ମହିଳା ତାଙ୍କ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କରିବାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ୟୁଟ୍ୟୁବର ରବୀନା ନାମକ ମହିଳା ପ୍ରେମିକ ସୁରେଶ ସହ ମିଶି ସ୍ୱାମୀ ପ୍ରବୀଣଙ୍କ ଗଳାଚିପି ହତ୍ୟା କରିଛନ୍ତି । ପୋଲିସ ଏହି ଘଟଣାର ପର୍ଦ୍ଦାଫାଶ କରିଛି। ପୋଲିସ ତଦନ୍ତରେ ଦୁଇ ଅପରାଧୀ ସେମାନଙ୍କ ଅପରାଧ ସ୍ୱୀକାର କରି କହିଛନ୍ତି ପ୍ରବୀଣ ସେମାନଙ୍କୁ  ଆପତ୍ତିଜନକ ଅବସ୍ଥାରେ ଦେଖି ଥିବାରୁ ସେମାନେ ତାଙ୍କ ହତ୍ୟା କରିଛନ୍ତି ।

ସୂଚନା ମୁତାବକ ହରିଆଣାର ଭିୱାନାର ପ୍ରବୀଣଙ୍କ ସହିତ ରବିନାଙ୍କ ବିବାହ ୨୦୧୭ ମସିହାରେ ହୋଇଥିଲା । ରବିନା ବୃତ୍ତିରେ ଜଣେ ୟୁଟ୍ୟୁବର ହୋଇଥିବାରୁ ସେ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ଭିଡିଓ ଏବଂ ରିଲ୍‌ଗୁଡ଼ିକୁ ନେଇ ପ୍ରାୟତଃ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ପ୍ରାୟ ଦୁଇ ବର୍ଷ ପୂର୍ବରୁ ରବିନା ହିସାର ର ଜଣେ ୟୁଟ୍ୟୁବର୍‌ ସୁରେଶଙ୍କ ସହିତ ଇନଷ୍ଟାଗ୍ରାମରେ ବନ୍ଧୁତା ସ୍ଥାପନ କରିଥିଲେ । ଇନଷ୍ଟାଗ୍ରାମରୁ ଆରମ୍ଭ ହୋଇଥିବା ଏହି ବନ୍ଧୁତା ପରେ ଭିନ୍ନ ଏକ ରୂପ ନେଇଥିଲା । ସମୟକ୍ରମେ ସୁରେଶଙ୍କ ସହ ଆରମ୍ଭ ହୋଇଥିବା ବନ୍ଧୁତା ପ୍ରେମର ରୂପ ନେଇଥିଲା । । ଯାହା ତାଙ୍କ ସ୍ୱାମୀ ଜାଣିନେଇଥିଲେ । ରବିନା ଓ ସୁରେଶ ଏକାଠି ଭିଡିଓ କରିବାରୁ ପ୍ରବୀଣ ବିରୋଧ କରୁଥିଲେ ବି ରବିନା କିଛି ଶୁଣି ନଥିଲେ । ସେ ଭିଡିଓ ପୋଷ୍ଟ କରିବା ଜାରି ରଖିଥିଲେ।

୨୫ ମାର୍ଚ୍ଚରେ ପ୍ରବୀଣ ନିଜ ଘରେ ରବିନା ଓ ସୁରେଶ ଉଭୟଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ, ଯାହାକୁ ନେଇ ସେମାନଙ୍କ ଭିତରେ ବଚସା ହୋଇଥିଲା । ଆଉ ସେହି ସମୟରେ ରବୀନ ନିଜ ଓଢଣୀ ସାହାଯ୍ୟରେ  ପ୍ରବୀଣଙ୍କ ତଣ୍ଟିକୁ ଚିପି ହତ୍ୟା କରିଥିଲେ । ଏଥିରେ ସୁରେଶ ରବୀନକୁ ସହାୟତା କରିଥିଲେ । ପ୍ରବୀଣଙ୍କୁ ହତ୍ୟା କରିବା ପରେ  ଘରେ ଭିତରେ ମୃତଦେହକୁ ରଖି ରବିନା ସମସ୍ତଙ୍କ ଆଗରେ ଏଭଳି ବ୍ୟବହାର କରିଥିଲେ ଯେମିତି ଦିନ ତମାମ କିଛି  ଘଟିନାହିଁ । ପରିବାର ଓ ସମ୍ପର୍କୀୟ ଯେତେବେଳେ ପ୍ରବୀଣଙ୍କ କଥା ପଚାରିଥିଲେ ସେତେବେଳେ ତାଙ୍କ ପାଖରେ କିଛି ଖବର ନଥିବା ରବିନା କହିଥିଲେ । ଆଉ ସେହି ରାତିରେ ଘରଠାରୁ ୭ କିଲୋମିଟର ଦୂରରେ ଥିବା ନାଳରେ ଶବ ଫୋପାଡ଼ି ଦେଇଥିଲେ ।

ପ୍ରବୀଣଙ୍କ ଖୋଜ ଖବର ନ ମିଳିବାରୁ ପରଦିନ ପରିବାର ଲୋକ ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରି ଡ୍ରେନ ମଧ୍ୟରୁ ପଚାସଢ଼ା ଅବସ୍ଥାରେ ପ୍ରବୀଣଙ୍କ ମୃତଦେହକୁ ହତ୍ୟାର ୩ ଦିନ ପରେ ଜବତ କରିଥିଲା । ତଦନ୍ତରେ ଅଧିକାରୀ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ଗୁଡିକୁ ଯାଞ୍ଚ କରିଥିଲେ । ଯଉଁଥିରେ ରାତି ପ୍ରାୟ ଅଢେଇଟା ସମୟରେ ରବିନା ଓ ସୁରେଶ ଏକ ବାଇକରେ ମୃତଦେହକୁ ନେଇ ଯାଉଥିବାର ଦେଖା ଦେଇଥିଲା । ପୋଲିସ ଫୁଟେଜକୁ ଆଧାର କରି ଅଭିଯୁକ୍ତ ଜେରା କରିବାରୁ ସେମାନେ ସବୁ ସତ ମାନି ଯାଇଥିଲେ ।