ଭୁବନେଶ୍ୱର-: ଫେସବୁକରେ ନକଲି ପୋଲିସ ସାଜି, ଲୋକଙ୍କୁ ଲଗାଉଥିଲେ ଚୂନ । ସ୍ଵାମୀଙ୍କ ପୋଲିସ ପୋଷାକ ପିନ୍ଧି ଲୋକଙ୍କୁ ଠକୁଥିଲେ ସ୍ତ୍ରୀ । ନିଜକୁ ଆଇଆଇସି ପରିଚୟ ଦେଇ ଲୋକଙ୍କଠାରୁ ଟଙ୍କା ଲୁଟୁଥିଲେ । ଠକେଇ ଅଭିଯୋଗ ହେବା ପରେ ଘଟଣାରେ ସାଇବର ଥାନା ପୋଲିସ, ଅସଲି ପୋଲିସଙ୍କ ନକଲି ପୋଲିସ ପତ୍ନୀ ସଂଯୁକ୍ତା ଭୂୟାଁକୁ ଗିରଫ କରିଛି ।
ସୂଚନା ଅନୁସାରେ, ସଂଯୁକ୍ତାଙ୍କ ସ୍ଵାମୀ ଏସଓଜିରେ କନଷ୍ଟେବଳ ଭାବେ କାର୍ଯ୍ୟ କରନ୍ତି। ସଂଯୁକ୍ତା ତାଙ୍କ ସ୍ଵାମୀଙ୍କ ପୋଷାକ ପିନ୍ଧି ଫଟୋ ଉଠାଇ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ଡିପି ରଖିଥିଲେ। ଏହା ପରେ ସେ ଲୋକଙ୍କ ସହିତ ବନ୍ଧୁତା ସ୍ଥାପନ କରୁଥିଲେ । ପୋଲିସ ପୋଷାକର କ୍ଷମତାକୁ ସେ ଅପବ୍ୟବହାର କରି ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକିଥିଲେ । ଅନ୍ଧାରୁଆ ଅଞ୍ଚଳର ଜଣେ ଦମ୍ପତିଙ୍କୁ ସେ ୮ ଲକ୍ଷ ୭୫ ହଜାର ଟଙ୍କା ଠକେଇ କରିଥିଲେ । ଏ ନେଇ ବିଷ୍ଣୁ ପ୍ରସାଦ ମୁଦୁଲି ନାମକ ବ୍ୟକ୍ତି ପୋଲିସ କମିଶନରଙ୍କୁ ଭେଟି ଅଭିଯୋଗ କରିଥିଲେ । ଏନେଇ ସାଇବର ଥାନା ପୋଲିସ ଖୋଳତାଡ କରିବା ପରେ ମହିଳାଙ୍କୁ ଗିରଫ କରିଥିଲା ।