( ହିଞ୍ଜିଳିକାଟୁ/ ରଜନୀକାନ୍ତ ପାତ୍ର ): ଗଞ୍ଜାମ ଜିଲ୍ଲା ପ୍ରଶାସନର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଶନିବାର ଦିନ ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ପରିସରରେ ଥିବା ସମ୍ମିଳନୀ କକ୍ଷରେ ହିଞ୍ଜିଳି ବ୍ଲକର ଜନ ପ୍ରତିନିଧି ଓ ଅଙ୍ଗନବାଡିକର୍ମୀ, ଆଶାକର୍ମୀ ମାନଙ୍କୁ ନେଇ ଶିଶୁକନ୍ୟାଙ୍କ ସୁରକ୍ଷା ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ମୁଖ୍ୟମନ୍ତ୍ରୀଙ୍କ ଡି ଆର ଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ବିଡିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପୀନାଥ କୁଅଁର,ସିଡି.ପିଓ ଶୁଭଶ୍ରୀ ପାତ୍ର,ବ୍ଲକ ଅଧ୍ୟକ୍ଷ ଏନ.ରଘୁନାଥ ଅତିଥି ଭାବେ ଯୋଗ ଦେଇ ମୋ ଗେହ୍ଲା ଝିଅ, ବେଟି ବଚାଓ ବେଟି ପଢାଓ ,ନିର୍ଭୟ କଢି ଆଦି ବିଭିନ୍ନ କାର୍ୟ୍ୟକ୍ରମର ଆଭିମୁଖ୍ୟ ସଂପର୍କ ରେ ମତ ଦେଇଥିଲେ।ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶରତ ଚନ୍ଦ୍ର ମହାରଣା, ଜିଲ୍ଲା ଶିଶୁ ସୁରକ୍ଷା ତାଲିମ ଦାତା ହରିହର ପାଢ଼ୀ କନ୍ୟା ଶିଶୁର କିପରି ଉତ୍ତମ ଯତ୍ନ ନିଆଯିବ ଓ ସ୍ବାସ୍ଥ୍ୟ ନିରାପତ୍ତା ଉପରେ ଅଙ୍ଗନୱାର୍ଡ କର୍ମୀ, ଆଶାକର୍ମୀ ମାନେ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ। ସାମ୍ପ୍ରତିକ ପରିସ୍ଥିତି ରେ କନ୍ୟା ଭ୍ରୁଣ ହତ୍ୟା, ବାଲ୍ୟ ବିବାହ ରୋକିବା ପାଇଁ ସମସ୍ତଙ୍କ ସହଯୋଗ ରେ ଏହା ସମାଜ ରୁ ଦୂର ହୋଇ ପାରିବ ବୋଲି ଉପସ୍ଥିତ ଅଧିକାରୀ ମାନେ ମତ ପ୍ରକାଶ କରିଥିଲେ।