ଜାନୁଆରୀ ୧୫ରୁ ଜମିବ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା , ପୂଜାର୍ଚନା ପରେ ସ୍ଥାପନ ହେଲା ଖୁଣ୍ଟ

0

ବରଗଡ଼ : ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁଭସ୍ତମ୍ଭ, ଇନ୍ଦ୍ରଧ୍ୱଜ ସ୍ଥାପନ କରାଯାଇଛି । ଧାର୍ଯ୍ୟ ଲଗ୍ନ ଅନୁସାରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା ।ସେଠାରୁ ଦେବୀଙ୍କ ଇଦ୍ରଧ୍ୱଜକୁ ଶୋଭାଯାତ୍ରାରେ ନିଆଯାଇ ସ୍ଥାନୀୟ ହାଟପଦାସ୍ଥିତ ଧନୁଯାତ୍ରା ସଞ୍ଚାରମଣ୍ଡଳୀ ପଡିଆରେ ପହଞ୍ଚିଥିଲା । ଏହା ପରେ ରାଜପୁରୋହିତ ପୂଜାର୍ଚ୍ଚନା କରି ଶୁଭସ୍ତମ୍ଭ ସ୍ଥାପନ କରିଥିଲେ ।ଚଳିତ ବର୍ଷ ବରଗଡ଼ ଧନୁଯାତ୍ରା ୭୬ ବର୍ଷରେ ପଦାର୍ପଣ କରିଛି । ଆସନ୍ତା ଜାନୁୟାରୀ ୧୫ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ବିଶ୍ବର ସର୍ବବୃହତ ଖୋଲା ରଂଗ ମଞ୍ଚରେ ଧନୁଯାତ୍ରା । ବରଗଡ଼ ସହର ହେବ ମଥୁରା ନଗରୀ ଗୋପପୁର ପାଲଟିବ ଅମ୍ବାପାଲି । ଯମୁନା ନଦୀ ହୋଇଯିବ ଜୀରା ନଦୀ । କଂସ ମାମୁଁଙ୍କ ଅଟ୍ଟହାସ୍ୟରେ ପ୍ରକମ୍ପିତ ହେବ ବରଗଡ଼ ସହର ବା ମଥୁରା ନଗରୀ । କୃଷ୍ଣଙ୍କ ପ୍ରେମରେ ବିବୋହିତ ହେବେ ଅମ୍ବାପାଲି ବା ଗୋପପୁର । ଆଜି ମାଁ ସମଲେଶ୍ଵରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା ପରେ ବରଗଡ଼ ସହର ହାଟପଦା ସ୍ଥିତ ସଞ୍ଚାର ପଡ଼ିଆରେ ହୋଇଛି ଶୁଭ ଖୁଣ୍ଟି ସ୍ଥାପନ ।