ନୂଆଦିଲ୍ଲୀ : ଜି-୨୦ ସମ୍ମିଳନୀ ପାଇଁ ପ୍ରସ୍ତୁତ ରାଜଧାନୀ ଦିଲ୍ଲୀ। ଦିଲ୍ଲୀରେ ସେପ୍ଟେମ୍ବର ୯ ଓ ୧୦ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ଜି-୨୦ ବୈଠକ ପାଇଁ ସଦସ୍ୟତା ଥିବା ଦେଶର ଅତିଥିମାନେ ଦିଲ୍ଲୀରେ ପହଂଚିବା ଆରମ୍ଭ କରିଛନ୍ତି । ଜି୨୦ ସମ୍ମିଳନୀ ପାଇଁ ଟ୍ରାଫିକ୍ ନିୟନ୍ତ୍ରଣ ଏକ ଗୁରୁତ୍ବପୂର୍ଣ୍ଣ ଆହ୍ବାନ ହୋଇଥିବା ବେଳେ ଦିଲ୍ଲୀ ପୁଲିସ ଚାରିଦିନ ପାଇଁ ପ୍ରସ୍ତୁତ ହେଉଛି। ବିଦେଶୀ ଅତିଥିମାନଙ୍କ ଯାତାୟାତକୁ ସୁଗମ କରିବା ପାଇଁ କେତେକ କଟକଣା ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଜି-୨୦ ଶିଖର ସମ୍ମିଳନୀ ପାଇଁ ଏବେ ବିଦେଶୀ ଅତିଥିଙ୍କ ଆଗମନ ଆରମ୍ଭ ହୋଇଛି। ଆଜି ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା ଏବଂ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ଦିଲ୍ଲୀରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ଭାବେ ଋଷି ସୁନକଙ୍କ ଏହା ପ୍ରଥମ ଭାରତ ଗସ୍ତ। ତାଙ୍କ ପୂର୍ବରୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ନୂଆଦିଲ୍ଲୀରେ ପହଞ୍ଚିଥିଲେ। ଜି-୨୦ ରେ ଅତିଥି ଭାବରେ ବାଂଲାଦେଶକୁ ନିମନ୍ତ୍ରଣ କରାଯାଇଛି। ଏହା ବ୍ୟତୀତ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଏବଂ ଆର୍ଜେଣ୍ଟିନାର ରାଷ୍ଟ୍ରପତି ଅଲବର୍ଟୋ ଫର୍ଣ୍ଣାଣ୍ଡିଜ୍ ଦିଲ୍ଲୀରେ ପହଞ୍ଚିଛନ୍ତି। ଏବେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଓ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଆଗମନକୁ ଅପେକ୍ଷା କରାଯାଇଛି।
ବିଶ୍ୱନେତାମାନେ ଦୁଇଦିନ ଧରି ଏହି ସମ୍ମିଳନୀରେ ରାଜନୀତି, ଜଳବାୟୁ ଓ ବହୁ ଦ୍ୱିପାକ୍ଷୀକ ସହଯୋଗ ସମେତ ବିଶ୍ୱସ୍ତରରେ ବିକାଶ ପାଇଁ ଥିବା ଚ୍ୟାଲେଞ୍ଜ ଉପରେ ଆଲୋଚନା କରିବେ । ଏହି କ୍ରମରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୯ ସେପ୍ଟେମ୍ବରକୁ ଜି-୨୦ ନେତାମାନଙ୍କ ପାଇଁ ଏକ ଭୋଜନର ଆୟୋଜନ କରିଛନ୍ତି ।