ସୋନପୁର(ଓମପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ବିନିକା ଅଞ୍ଚଳର ସମସ୍ତ ଗ୍ରାମରେ ଥିବା ମାହେଶ୍ଵରୀ ଦେବୀଙ୍କ ପୀଠରେ ମୂଳାଷ୍ଟମୀ ତିଥିରୁ ପରମ୍ପରା ଅନୁସାରେ ପୂଜନୋତ୍ସବ ଅନୁଷ୍ଠିତ ହୋଇଛି । ଏଥିପାଇଁ ସକାଳୁ ମନ୍ଦିରଗୁଡ଼ିକ ଖୋଲିବା ସହିତ ସେବାୟତ ମାନେ ମାଆଙ୍କର ସମସ୍ତ ପ୍ରକାର ପୂଜାନୀତି ସୁଚାରୁ ରୂପେ ସମ୍ପାଦନା ପାଇଁ ତତ୍ପରତା ପ୍ରକାଶ କରିଛନ୍ତି । ଏହାପରେ ଦେବୀଙ୍କ ସମସ୍ତ ପୀଠ ଏବେ ଚଳଚଞ୍ଚଳ ହୋଇ ଉଠିଛି । ଅଞ୍ଚଳର ପ୍ରମୁଖ ମାହେଶ୍ୱରୀ ଦେବୀଙ୍କ ଶକ୍ତି ପୀଠ ଫୁଲମୁଠୀ ଏବଂ କଉଁଙ୍ଗ ଶକ୍ତି ପୀଠ ସହ ଆରିଗାଁ, ଗୁଳୁଣ୍ଡା, ଭଣ୍ଡାର, ବଲାରଙ୍ଗା, ଡଭଲା, ଗରଗଡ଼ବାହାଲ ଆଦି ସ୍ଥାନରେ ବିଧି ଅନୁସାରେ ପୂଜାନୀତି ସମାପନ କରାଯାଇଥିଲା । ଏହାପରେ ଇଷ୍ଟଦେବୀ ମା ମାହେଶ୍ୱରୀ ପୁଅ ଜୀଉରିଆ ଅବସରରେ ଅଗଣିତ ଶ୍ରଦ୍ଧାଳୁ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଏହି ଅବସରରେ ମା ମାହେଶ୍ଵରୀ ଦେବୀଙ୍କ ପୂଜକ ମୋହନ ଦେହୁରୀ ଓ ପୁରୋହିତ ବିଷ୍ଣୁପ୍ରସାଦ ପଣ୍ଡାଙ୍କ ସମେତ ବରୁଆ ବୁଧୁ ବିଶିଙ୍କ ଦେହରେ ଦେବୀ ମା ମାହେଶ୍ଵରୀ ବିରାଜମାନ କରିଥିଲେ।