ବିଦ୍ୟୁତ୍ ସଂଯୋଗ ନହେବା କାରଣରୁ କାର୍ଯ୍ୟକ୍ଷମ ହୋଇପାରୁନି ଉଠା ଜଳସେଚନ ପ୍ରକଳ୍ପ

0

ସୁବର୍ଣ୍ଣପୁର: ବିଦ୍ୟୁତ୍ ସଂଯୋଗ ନହେବା କାରଣରୁ ଉଠା ଜଳସେଚନ ପ୍ରକଳ୍ପଗୁଡିକ କାର୍ଯ୍ୟକ୍ଷମ ହୋଇପାରୁନି। ଏଥିପାଇଁ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ମୟୂରଉଡାନ ପଞ୍ଚାୟତର ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବିଭାଗର ବିଳମ୍ବିତ କାର୍ଯ୍ୟକୁ ନେଇ ଚାଷୀମାନେ ସୁବର୍ଣ୍ଣପୁର ଉଠା ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଘେରିଥିଲେ। ଚାଷୀମାନେ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ କାର୍ଯ୍ୟାଳୟ ଭିତରକୁ କୌଣସି କର୍ମଚାରୀଙ୍କୁ ଛାଡି ନ ଥିଲେ।

ସୂଚନା ଅନୁଯାୟୀ,  ଆସନ୍ତା ଏପ୍ରିଲ ୪ ତାରିଖରୁ ବିଦ୍ୟୁତ୍ କାମ ଆରମ୍ଭହେବ ଓ ୩୦ ତାରିଖ ସୁଦ୍ଧା କାମ ସରିବ ବୋଲି ନିର୍ବାହୀ ଯନ୍ତ୍ରୀ ରିବନ୍ଦ୍ର କୁମାର ମାଝୀ ଲିଖିତ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।ସୂଚନା ଅନୁଯାୟୀ ୨୦୨୧-୨୨ରେ ଗଭୀର ନଳକୂପ ଖୋଳିବା ପାଇଁ ପଞ୍ଚାୟତର ୫୨ ଚାଷୀ ଅନଲାଇନରେ ଚାଷୀମାନେ ଉଠା ଜଳସେଚନ କାର୍ଯ୍ୟାଳୟ ଆବେଦନ କରିବା ସହ ୨୦ ହଜାର ଲେଖାଏଁ ଅଂଶଧନ ଜମା କରିଥିଲେ। ବହୁ ବିଳମ୍ବରେ ୨୦୨୩ରେ ସରକାର ଗଭୀର ନଳକୂପ ଖୋଳିଥିଲେ।

୨୦୨୪ରେ ଠିକାଦାର ପ୍ରକଳ୍ପକୁ ବିଦ୍ୟୁତ୍ ସଂଯୋଗ କରିବା ପାଇଁ ବିଦ୍ୟୁତ୍ ଖୁଣ୍ଟ ପୋତିଥିଲେ। ଏ ପର୍ଯ୍ୟନ୍ତ ଟ୍ରାନ୍ସଫରମର ବସିନି କି ଖୁଣ୍ଟରେ ତାର ଟଣାଯାଇନି। ଚାଷୀମାନେ ବାରମ୍ବାର ବିଭାଗୀୟ ଅଧୂକାରୀଙ୍କ କାର୍ଯ୍ୟାଳୟକୁ ଦୌଡି ନୟାନ୍ତ ହେଲେଣି। ଏପରିକି ଜିଲାପାଳ ଅନ୍ୟା ଦାସ, ବିଧାୟକ ନିରଞ୍ଜନ ପୂଜାରୀ,ଉଠା ଜଳସେଚନ ପ୍ରକଳ୍ପ ବିଦ୍ୟୁତ୍ ସଂଯୋଗରେ ବିଳୟ ଏମ୍‌ପି ସଙ୍ଗୀତା କୁମାରୀ ସିଂହଦେଓ ଓ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଠିକାଦାର କାମ ସମ୍ପୂର୍ଣ୍ଣ କରୁନାହାନ୍ତି। ଉଠାଜଳସେଚନ ବିଭାଗ ଠିକାଦାର ଓ ବିଦ୍ୟୁତ୍ ବିଭାଗ ଉପରେ ଦୋଷ ଲଢୁଛି। ଏଭଳି ସ୍ଥିତିରେ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଚାଷ କରି ରୋଜଗାରକ୍ଷମ ହେବାକୁ ଲକ୍ଷ୍ୟ ରଖୁଥ‌ିବା ଚାଷୀ ମାନେ ନିରାଶ ହୋଇଛନ୍ତି। ଏହି ଆନ୍ଦୋଳନରେ ଚାଷୀ ସିଦ୍ଧେଶ୍ବର ନାଏକ, ଦେବବ୍ରତ ମିଶ୍ର, ଛାୟାକାନ୍ତ ମନହିରା, ଭବାନୀ ଶଙ୍କର ଦାନୀ, ସତ୍ୟପ୍ରିୟ ପ୍ରଧାନ, କୁଶଳେଶ୍ବର ବଗର୍ତ୍ତି, ସତ୍ୟ ନାରାୟଣ ସାହୁ, ନିଶିକାନ୍ତ ନାଏକ, ମହେନ୍ଦ୍ର ପାଣ୍ଡେ ଓ ହିମାଂଶୁ ଶେଖର ନାଏକ ପ୍ରମୁଖ ସାମିଲ ଥିଲେ ।