ନୂଆ ଦିଲ୍ଲୀ : ଉତ୍ତରଭାରତରେ ପ୍ରବଳ ବର୍ଷା ହେତୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି । ଉଛୁଳା ବନ୍ୟାପାଣିରେ ବେହାଲ ରାଜଧାନୀ । ତେବେ ୫୦ବର୍ଷର ରେକର୍ଡ ଭାଙ୍ଗିଲା ଯମୁନାକ ଜଳସ୍ତର । ଜଳସ୍ତର ୨୦୭.୯୫ ମିଟରରେ ପହଞ୍ଚିଛି । ଗତକିଛି ଦିନ ହେବ ଲଗାଣ ବର୍ଷା ଯୋଗୁ ଏବଂ ହରିୟାଣା ହଥିନିକୁଣ୍ତ ବ୍ୟାରେଜରୁ ୩.୫ ଲକ୍ଷରୁ ଅଧିକ କ୍ୟୁସେକ ଜଳ ଛଡାଯିବା କାରଣରୁ ଏପରି ସ୍ଥିତି ଉପୁଜିଛି। ବୁଡି ଯାଇଛି ବଡବଡ କୋଠା । ଭିଆଇପି ଏରିଆ ମଧ୍ୟ ଜଳମୟ । ୧୯୭୮ ପରେ ରାଜଧାନୀରେ ଏହା ସବୁଠାରୁ ବଡ଼ ବନ୍ୟା କୁହାଯାଉଛି । ଯମୁନା ନଦୀରେ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି ଜଳସ୍ତର । ରାଜଧାନୀର ଭିଆଇପି ଅଞ୍ଚଳଠୁ ନେଇ ଗଳିକନ୍ଦି ସବୁଠି ଜମିଛି ନଦୀପାଣି । ଐତିହାସିକ ଲାଲକିଲ୍ଲାରେ ମଧ୍ୟ ପଶିଛି ଯମୁନା ଜଳ । ତଳିଆ ଅଞ୍ଚଳ ଗୁଡିକ ଜଳମୟ ହୋଇଥିବା ବେଳେ ରାଜରାସ୍ତାରେ ଢେଉ ଭାଙ୍ଗୁଛି ବନ୍ୟାପାଣି । ବନ୍ୟା ଯୋଗୁ ଦିଲ୍ଲୀର ୩ଟି ଓ୍ଵାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ବନ୍ଦ ହୋଇଛି । ଫଳରେ ସହରବାସୀଙ୍କୁ ପାନୀୟ ଜଳ ସଙ୍କଟର ସାମ୍ନା କରିବାକୁ ପଡିପାରେ ବୋଲି କୁହାଯାଉଛି । ବନ୍ୟାସ୍ଥିତିକୁ ନଜରରେ ରଖି ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ସମସ୍ତ ସ୍କୁଲକୁ ବନ୍ଦ ରଖାଯାଇଛି । ସବୁ ସରକାରୀ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ ହୋଇଛି । ଯମୁନା କୂଳବର୍ତ୍ତୀ ଅଞ୍ଚ ଗୁଡିକ ଜଳମଗ୍ନ ହୋଇଥିବା ବେଳେ ରିଂ ରୋଡ୍, କାଶ୍ମୀର ଗେଟ୍, ରାଜଘାଟ, ଆଇଟିଓ, ଲାଲକିଲ୍ଲା, ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ବନ୍ୟାପାଣିରେ ବୁଡି ରହିଛି । ରେସକ୍ୟୁ ପାଇଁ ଏନଡିଆରଏଫ ଟିମ୍ ସଜାଗ ରହିଛି ।