(ରିପୋର୍ଟସ ଟୁଡ଼େ / ଭୁବନେଶ୍ୱର ): ମାଘ ସପ୍ତାମୀ ଠାରୁ ଆରମ୍ଭ ହୋଇଛି ଖଣ୍ଡଗିରି ମେଳା ବା କୁମ୍ଭ ମେଳା । ହେଲେ ଏହି ମେଳାର ମୁଖ୍ୟ ଆକର୍ଷଣ ଯାତ୍ରାମଞ୍ଚ ଆଜିଠାରୁ ଆରମ୍ଭ ହେବ । ଯାହାକି ଯାତ୍ରା ପ୍ରେମୀଙ୍କୁ ମନୋରୋଞ୍ଜନର ଖୁରାଗ ଯୋଗାଇବ । ଯାତ୍ରାର ଦମଦାର ଡ଼ାଇଲଗରେ ଦୁଲକିବ ଖଣ୍ଡଗିରି କୁମ୍ଭମେଳା । ରଙ୍ଗୀନ ରଙ୍ଗ ମଞ୍ଚରେ ମଞ୍ଚସ୍ଥ କରିବାକୁ ଯାଉଛନ୍ତି ୨ ସୁନାମ ଧନ୍ୟ ଯାତ୍ରା ପାର୍ଟି । ଆଜି କଳିଙ୍ଗ ଗଣନାଟ୍ୟ ଏବଂ କୋଣାର୍କ ଗଣନାଟ୍ୟ ଚଳିତ ବର୍ଷର ସୁପରହିଟ ନାଟକ ପରିବେଷଣ କରିବେ ।
ଇନ୍ଦିରା ସାଂସ୍କୃତିକ ଯୁବ ପରିଷଦ ଜାଗମରା ପକ୍ଷରୁ କଳିଙ୍ଗ ଗଣନାଟ୍ୟ ଏବଂ ସନାତନ ସେବା ସମିତି ପକ୍ଷରୁ କୋଣାର୍କ ଗଣନାଟ୍ୟ ମଂଚସ୍ଥ କରିବ ।
ଟିକଟର ଦାମ ରହିଛି ୨ଶହ, ୧୫୦ ଓ ୧୦୦ଟଙ୍କା । ୬ ତାରିଖରୁ ମାୟା ନଗରୀ, ସୂର୍ୟ୍ୟ ମହଲ ନାଟକ ମଂଚସ୍ଥ କରିବେ । ୫ରୁ ୧୬ ତାରିଖ ପର୍ୟ୍ୟନ୍ତ ଚାଲିବ ଏହି ଯାତ୍ରା ମହାକୁମ୍ଭ। ଚଳିତ ବର୍ଷ ମୋଟ ୧୨ଟି ଯାତ୍ରାପାର୍ଟି ମଂଚସ୍ଥ କରିବେ ବୋଲି ସୂଚନା ରହିଛି ।
ପ୍ରଥମେ ‘ଆଖି ଅବୁଝାକୁ ଲୁହ ଅବୁଝା’ ପରିବେଷିତ ହେବ । ଏହାର ରଚନା ଡ. ଦୀପକ ଜେନା କରିଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି ଗୁରୁ ପ୍ରସାଦ ମିଶ୍ର । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅମୃତାଂଶୁ ପଟ୍ଟନାୟକ । ନୃତ୍ୟ ସଂଯୋଜନା କରିଛନ୍ତି ନବ ମିଶ୍ର । ନାଟକରେ ପ୍ରମୁଖ ଚରିତ୍ରରେ ରହିଛନ୍ତି ଦୈତାରୀ ପଣ୍ଡା, ବସନ୍ତ ସାହୁ, ଅକ୍ଷୟ ସାହୁ, ରତି, ରୁଦ୍ର, ଜିତୁ, ମିଟୁନା, ନଳିନୀ, ପୂଜା, ମୁନୁ, ଶ୍ରୀଧର, ପଦ ରାଉତ, ମୁନା, କେଳୁ, ଝରଣା, ରୁନୁ ପ୍ରମୁଖ । ବିଭିନ୍ନ ସ୍ଥାନରେ ଦର୍ଶକଙ୍କ ଦ୍ୱାରା ନାଟକଟି ଆଦୃତ ଲାଭ କରିବା ସହ ଲୋକପ୍ରିୟତା ସାଉଁଟିଛି । ସେହିପରି ଇନ୍ଦିରା ସାଂସ୍କୃତିକ ଯୁବ ପରିଷଦ, ଜାଗମରା ମଞ୍ଚରେ କଳିଙ୍ଗ ଗଣନାଟ୍ୟ ଓପନିଂ କରିବ ।
ପ୍ରଥମ ରଜନୀରେ ପାର୍ଟି ନାଟ୍ୟକାର ଲିଲି ଦାସଙ୍କ ରଚନା ଓ ଇଂ. ଆଶୁତୋଷ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ‘ଶ୍ରାବଣ ମାସର ଶେଷ ରାତି’ ପରିବେଷିତ କରିବ । ଏଥିରେ ପ୍ରମୁଖ ଭୂମିକାରେ ସୁରେଶ ପଣ୍ଡା, ମାନସ ପଣ୍ଡା, ରଞ୍ଜିତ, ଅଭିନ୍ନ, ଜଗା, ମାମା, ବିଜୁ କେଦାର ଓ ସରୋଜିନୀ ପ୍ରମୁଖ ଅଭିନୟ କରିଛନ୍ତି । ସମସ୍ତେ ଏହି ଦୁଇଟି ନାଟକ ଦେଖିବାକୁ ଅନାଇ ବସିଥିବାବେଳେ ଖଣ୍ଡଗିରି ଯାତ୍ରା ମହାକୁମ୍ଭର ପ୍ରଥମ ରଜନୀ ପାଇଁ କମିଟି ସଦସ୍ୟ ଓ କଳାକାର ବେଶ୍ ଉତ୍ସାହିତ ଅଛନ୍ତି ।