ଭୁବନେଶ୍ୱର : ଘନ କୁହୁଡି ନେଇ ବୁଧବାର ଅର୍ଥାତ୍ ଫେବୃଆରୀ ୫ରେ ୯ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର ଓ ନୟାଗଡକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ସେପଟେ ଉପର ମୁହାଁ ହେବାରେ ଲାଗିଛି ପାରଦ । ଫେବୃଆରୀ ପ୍ରଥମ ସପ୍ତାହରୁ ହେଲାଣି ଟାଣ ଖରା । ସ୍ବାଭାବିକଠାରୁ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ହୋଇଛି । ବିଶେଷ କରି ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିବ ଦିନ ତାପମାତ୍ରା । ମେଘମୁକ୍ତ ଆକାଶ ସହ ପବନର ଉତ୍ତରାୟଣ ଗତି ପାଇଁ ତାପମାତ୍ରା ବୃଦ୍ଧି ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ।
ଗତକାଲି ୩୬.୬ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ପାରଳାଖେମୁଣ୍ଡି । ଏହା ପଛକୁ ବଲାଙ୍ଗିରରେ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ୩୫ ଡିଗ୍ରୀ ଉପରେ ରହିଛି ୩ ସହର। ଝାରସୁଗୁଡ଼ାରେ ୩୫.୬, ସୁନ୍ଦରଗଡ଼ରେ ୩୫.୪ ଏବଂ ସମ୍ବଲପୁରରେ ୩୫.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆଗାମୀ ୫ ଦିନ ଏଭଳି ତାପମାତ୍ରା ଲାଗି ରହିବ କୌଣସି ପରିବର୍ତ୍ତନ ହେବାର ନାହିଁ ।