ପ୍ରାକୃତିକ ଉପାୟରେ କମ୍‌ କରିପାରିବେ ୟୁରିକ୍‌ ଏସିଡ୍‌

0

ବ୍ୟୁରୋ : ପୂର୍ବ ଦିନମାନଙ୍କ ଅପେକ୍ଷା ଏବେ ନିଜ ଶରୀରର ସୁସ୍ଥତା ନିମନ୍ତେ ପ୍ରାକୃତିକ ଉପାୟ ଆପଣାଉଛନ୍ତି ଲୋକେ | ଏବଂ ଏହାକୁ ନିଜ ନିତିଦିନିଆ ବ୍ୟବହାର୍ଯ୍ୟରେ ପରିଣତ କରୁଛନ୍ତି | ଏବେ ପ୍ରାକୃତିକ ଉପାୟରେ କମ୍‌ କରିପାରିବେ ୟୁରିକ୍‌ ଏସିଡ୍‌ | ହଁ ଦର୍ଶକ ବନ୍ଧୁ, ଆଜିକାଲି ପ୍ରାୟ ଲୋକଙ୍କଠାରେ ମାତ୍ରାଧିକ ୟୁରିକ୍‌ ଏସିଡ୍‌ ସମସ୍ୟା ଦେଖିବାକୁ ମିଳୁଛି । ଏହି ସମସ୍ୟାକୁ ଚିକିତ୍ସା ଦ୍ୱାରା ନିୟନ୍ତ୍ରିତ କରାଯାଇପାରେ । ଆପଣ ଚାହିଁଲେ ଏହାକୁ ପ୍ରାକୃତିକ ଉପାୟରେ ମଧ୍ୟ ନିୟନ୍ତ୍ରିତ କରିପାରିବେ । କେତୋଟି ସାଧାରଣ ପାନୀୟ ଦ୍ୱାରା ୟୁରିକ୍‌ ଏସିଡ୍‌କୁ ନିୟନ୍ତ୍ରିତ କରାଯାଇପାରିବ ।

ଅଧିକ ପାଣି ପିଅନ୍ତୁ: ପର୍ଯ୍ୟାପ୍ତ ପାଣି ପିଇବା ଦ୍ୱାରା କିଡ୍‌ନୀ ସୁଚାରୁ ରୂପେ କାମ କରିଥାଏ । ଫଳରେ ଶରୀରରୁ ୟୁରିକ୍‌ ଏସିଡ୍‌ ପରି ଉତ୍ପାଦକୁ ବାହାର କରି ଦେଇଥାଏ । ଅପରପକ୍ଷେ କମ୍‌ ପାଣି ପିଇବା ଦ୍ୱାରା ୟୁରିକ୍‌ ଏସିଡ୍‌ ଗାଢ ହୋଇପାରେ । ତେଣୁ ଏହା ଜମା ହେବାର ଆଶଙ୍କା ବଢିଥାଏ । ଫଳରେ ଭିନ୍ନ ଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଉପୁଜିଥାଏ ।

ଗ୍ରୀନ୍‌ ଟି: ଗ୍ରୀନ୍‌ ଟି’ ଶରୀର ପାଇଁ ଲାଭଦାୟକ । ତା’ ସହିତ ୟୁରିକ୍‌ ଏସିଡ୍‌କୁ ନିୟନ୍ତ୍ରିତ କରିବାରେ ମଧ୍ୟ ବେଶ୍‌ ଉପଯୋଗୀ ହୋଇଥାଏ । ଗବେଷଣାରୁ ଜଣାପଡିଛି ଯେ ନିୟମିତ ଗ୍ରୀନ୍‌ ଟି’ ପିଇବା ଦ୍ୱାରା ଶରୀରରେ ୟୁରିକ୍‌ ଏସିଡ୍‌ ସ୍ତର ନିୟନ୍ତ୍ରିତ ରହିଥାଏ । ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ପାଦଗଣ୍ଠି ଫୁଲା ସମ୍ବନ୍ଧୀୟ ସମସ୍ତ ସମସ୍ୟା ସହ ଲଢିବାରେ ସମର୍ଥ ହୋଇଥାଏ ।

ଲେମ୍ବୁ ପାଣି: ଗାଉଟ୍ସ ବା ପାଦଗଣ୍ଠି ଫୁଲା ସମସ୍ୟା କିମ୍ବା ଉଚ୍ଚ ୟୁରିକ୍‌ ଏସିଡ୍‌ରେ ପୀଡିତ ହୋଇଥିବା ଜାଣିବା ପରେ ନିୟମିତ ଏକ ଗ୍ଲାସ୍‌ ଲେମ୍ବୁ ପାଣି ପିଇବା ଆରମ୍ଭ କରନ୍ତୁ । ଏକ ଗ୍ଲାସ୍‌ରେ ଏକ ସତେଜ ଲେମ୍ବୁକୁ ଚିପୁଡି ସେ ପାଣିକୁ ପିଅନ୍ତୁ । ଲେମ୍ବୁ ଭିଟାମିନ୍‌ -ସି’ରେ ଭରା, ଶରୀରରେ ୟୁରିକ୍‌ ଏସିଡ୍‌ର ସ୍ତରକୁ ସନ୍ତୁଳିତ କରି ରଖିବାରେ ସାହାଯ୍ୟ କରିଥାଏ । ଏହି ସମୟରେ ସନ୍ତରା ବା କମଳା ପରି ଭିଟାମିନ୍‌-ସି’ଯୁକ୍ତ ଫଳ ମଧ୍ୟ ବେଶ୍‌ ଉପଯୋଗୀ । କିନ୍ତୁ ଏହାକୁ ସୀମିତ ମାତ୍ରାରେ ନେବା ଆବଶ୍ୟକ ।

ସ୍କିମ୍‌ଡ ଦୁଗ୍ଧ ବା କମ୍‌ ଫ୍ୟାଟ୍‌ ଦୁଗ୍ଧ: ଏକ ଗ୍ଲାସ୍‌ ସ୍କିମ୍‌ଡ ଦୁଗ୍ଧ ପିଇବା ଦ୍ୱାରା ଶରୀରରେ ୟୁରିକ୍‌ ଏସିଡ୍‌ର ମାତ୍ରା କମ୍‌ ହୋଇଥାଏ । ତେଣୁ ଡାଏଟ୍‌ରେ କମ୍‌ ଫ୍ୟାଟ୍‌ ଯୁକ୍ତ ଦୁଗ୍ଧ ସାମିଲ୍‌ କରିପାରିବେ । ଏହା ଆଦୌ କ୍ଷତିକାରକ ହୋଇ ନଥାଏ ।