ଉତ୍ତରପ୍ରଦେଶ ରାୟବରେଲିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବହୁ ବର୍ଷର ପୋତାଧନ ପାଇବା ପାଇଁ ଏକ ୧୦ ବର୍ଷର ଶିଶୁ ପୁତ୍ରକୁ ବଳି ଦେଇଥିଲେ । ପିଲାଟିର ପୋଷ୍ଟମର୍ଟମ ରିପୋର୍ଟ ଆସିବ ପରେ ତାଙ୍କୁ ହତ୍ୟା କରାଯାଇଥିବା ନିଶ୍ଚିତ ହୋଇଥିଲା । ଯାହାପରେ ଶିଶୁର ବାପା ପୋଲିସରେ ଏକ ମାମଲା ଦାୟର କରିଥିଲେ । ଏବେ ପୋଲିସ ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।
ସୂଚନା ମୁତାବିକ ସାଲୋନ କୋତୱାଲି ଅଞ୍ଚଳର ରାକେଶ କୁମାର ତାଙ୍କ ୧୦ ବର୍ଷର ପୁଅ ସୁଧୀର ଗୌତମଙ୍କ ହତ୍ୟା ବିଷୟରେ ପୋଲିସକୁ ସୂଚନା ଦେଇଥିଲେ। ଏହା ପରେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା। ମାମଲାଟିର ଖୁଲାସା କରିବା ସମୟରେ ପୋଲିସ କହିଛି ଯେ ସାଲୋନ କୋତୱାଲି ଅଞ୍ଚଳର ମହମ୍ମଦାବାଦରେ ରହୁଥିବା ଦୂର ସମ୍ମର୍କୀୟ ଦିଲବାଗ ଗୈାତମ ନିଜ ମାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ଗୁଡୁ ବାବା ନାମକ ଜଣେ ତାନ୍ତ୍ରିକଙ୍କ ପାଖକୁ ଯାଇଥିଲେ । ତାନ୍ତ୍ରିକ ତାଙ୍କୁ ମାଆଙ୍କ ଦେହ ଭଲ କରିବାକୁ ହେଲେ ଏକ ନାବାଳକ ପୁତ୍ରକୁ ବଳି ଦେବାକୁ ହେବ ବୋଲି କହିଥିଲେ । ଏହା ସହିତ ସେ କହିଥିଲେ ଯେ ପିଲାଟିକୁ ବଳି ଦେବା ପରେ ତାଙ୍କୁ ପୋତି ଦିଆଯାଇଥିବା ଧନ ମିଳିବ। ପରେ ଫେବୃଆରୀ ୧୮ ତାରିଖରେ ସେ ରାକେଶଙ୍କ ୧୦ ବର୍ଷର ନାବାଳକ ପୁଅକୁ ଅପହରଣ କରି ବାବାଙ୍କ ପାଖକୁ ନେଇଗଲେ, ଯେଉଁଠାରେ ବାବା ପିଲାଟିକୁ ଏକ ଧାରୁଆ ଅସ୍ତ୍ରରେ ଆଘାତ କରି ହତ୍ୟା କଲେ ଏବଂ ମୃତଦେହକୁ ପୋଖରୀରେ ଫିଙ୍ଗି ଦେଲେ। ’ପରେ ଦୁହେଁ ଫେରାର ହୋଇଯାଇଥିଲେ । ପରଦିନ ପର୍ୟ୍ୟନ୍ତ ପିଲାଟିର ସନ୍ଧାନ ନ ମିଳିବାରୁ ପରିବାର ଲୋକେ ପୋଲିସକୁ ଖବର ଦେଲେ ଏବଂ ଘଟଣାଟି ପ୍ରକାଶ ପାଇଲା।
ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅପରାଧରେ ବ୍ୟବହୃତ ଅସ୍ତ୍ର ମଧ୍ୟ ସେମାନଙ୍କଠାରୁ ଜବତ କରାଯାଇଛି । ଗିରଫ ପରେ, ଦିଲବାଗ ଗୌତମଙ୍କୁ ପଚରାଉଚରା କରାଯାଇଥିଲା। ଜେରା ସମୟରେ ଉଭୟ ଅପରାଧ ସ୍ୱୀକାର କରିଥିଲେ । ତେବେ ପୋଲିସ ମାମଲାର ତଦନ୍ତ ଚଳାଇଥିବା ସୂଚନା ରହିଛି ।