କରଞ୍ଜିଆ / ବସନ୍ତ କୁମାର ସୋରେନ: ବିଷାକ୍ତ ସାପ କାମୁଡାରେ ଯୁବକ ମୃତ୍ୟୁ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଠାକୁରମୁଣ୍ଡା ନିକଟବର୍ତ୍ତୀ କେନ୍ଦୁଝର – ମୟୁରଭଞ୍ଜ ସୀମାନ୍ତ ପଣସଡିହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଣସଡିହା ଗ୍ରାମର ଦୁଲୁ ସାହିରେ। ସୂଚନା ଅନୁଯାୟୀ ପଣସଡିହା ଗ୍ରାମର ଦୁଲୁ ସାହିର ୩୦ ବର୍ଷୀୟ ମିଥୁନ ସାମାଡ୍ ରାତିରେ ଖାଇ ପିଇ ସାରି ନିଜ ସ୍ତ୍ରୀ ଏବଂ ଝିଅ ସହ ଘରେ ଶୋଇଥିଲେ। ଭୋର୍ ସମୟରେ ହଠାତ୍ ଏକ ବିଷାକ୍ତ ଚିତି ସାପ ମିଥୁନ କୁ କାମୁଡି ଦେଇଥିଲା। ସାଙ୍ଗେ ସାଙ୍ଗେ ସେ ସ୍ତ୍ରୀ ବୀଣାପାଣି କୁ କହିଥିଲେ। ତାଙ୍କ ସ୍ତ୍ରୀ ପରିବାର ର ଅନ୍ୟ ସଦସ୍ୟ ମାନଙ୍କୁ ଡାକିବା ବେଳକୁ ମିଥୁନ ସେହି ଚିତି ସାପ ଟିକୁ ମାରି ଦେଇଥିଲେ। ପରିବାର ଲୋକେ ଠାକୁରମୁଣ୍ଡା ୧୦୮ ଆମ୍ବୁଲାନ୍ସ ପାଇଁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ। ତେବେ ବିଡ଼ମ୍ବନାର ବିଷୟ ଫୋନ୍ ରେ ଥିବା ସେହି ଅଧିକାରୀ ଠାକୁରମୁଣ୍ଡା ୧୦୮ ଆମ୍ବୁଲାନ୍ସ ଖରାପ୍ ଅଛି କହିବା ସହ ଆନନ୍ଦପୁର ଉପଖଣ୍ଡ ର ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ। ଆନନ୍ଦପୁର ରୁ ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବ ଜାଣି ପରିବାର ଲୋକେ ମିଥୁନ କୁ ଏକ ଅଟୋ ଯୋଗେ ସକାଳଳେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ପରିବାର ଲୋକେ ଠାକୁରମୁଣ୍ଡା ୧୦୮ ଆମ୍ବୁଲାନ୍ସ ଖରାପ୍ ଥିବାରୁ ସେମାନେ ଆନନ୍ଦପୁର ଉପଖଣ୍ଡ ର ୧୦୮ ଆମ୍ବୁଲାନ୍ସ କୁ ଫୋନ୍ କରିଥିଲେ। ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବାରୁ ସେମାନେ ଅନ୍ୟ ଗାଡ଼ିରେ ମିଥୁନ କୁ ନେବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ମିଥୁନ ର ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ଅର୍ଥ ଅଭାବରୁ ଅନ୍ୟ ଗାଡି ଯୋଗାଡ କରି ନ ପାରି ସେହି ଆମ୍ବୁଲାନ୍ସ କୁ ହିଁ ଅପେକ୍ଷା କରି ରହିଲେ। ଦୀର୍ଘ ପ୍ରାୟ ଦୁଇ ଘଣ୍ଟା ପରେ ଆନନ୍ଦପୁର ରୁ ୧୦୮ ଆମ୍ବୁଲାନ୍ସ ଆସି ପହଞ୍ଚିଥିଲା। ମିଥୁନ କୁ ଆମ୍ବୁଲାନ୍ସ ରେ ଭର୍ତ୍ତି କରିବା ସମୟରେ ମିଥୁନ ର ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ଠାକୁରମୁଣ୍ଡା ଥାନା ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।