ଆଜିର ଦିନରେ ଇତିହାସ ରଚିଥିଲେ ଯୁବରାଜ ସିଂହ । ଇଂଲଣ୍ଡ ବୋଲର ଷ୍ଟ୍ରୁଆର୍ଟ ବର୍ଡଙ୍କ ହଜାଇ ଦେଇଥିଲେ ନିଦ । ଆଉ ବିଶ୍ୱ କ୍ରିକେଟ୍ରେ କରିଥିଲେ ନୂଆ କୀର୍ତ୍ତୀମାନ । ମାତ୍ର ୧୨ଟି ବଲ୍ରେ ଖେଳିଥିଲେ ବିସ୍ଫୋରକ ପାରି ।
ବର୍ଷ ୨୦୦୭, ଆଇସିସି ପକ୍ଷରୁ ଆୟୋଜନ ହୋଇଥିଲା ଟି-୨୦ ବିଶ୍ୱକପ୍ର ପ୍ରଥମ ସଂସ୍କରଣ । ସାଉଥ ଆଫ୍ରିକାରେ ଖେଳାଯାଉଥିଲା ଟି-୨୦ ବିଶ୍ୱକପ୍ର ପ୍ରଥମ ସଂସ୍କରଣ । ଲିଗ୍ ପର୍ଯ୍ୟାୟରେ ଏକ ମ୍ୟାଚରେ ଇଂଲଣ୍ଡ ସହିତ ଭାରତୀୟ ଟିମ୍ର ଥିଲା ମୁକିବାଲ । ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୨୧୮ ରନ୍ କରିଥିଲା । ଯେଉଁଥିରେ ବିରେନ୍ଦ୍ର ସେହଓ୍ୱାଗଙ୍କ ୬୮ ରନ୍, ଗୌତମ ଗମ୍ଭୀରଙ୍କ ୫୮ ରନ୍, ଯୁବରାଜ ସିଂହଙ୍କ ୫୮ ରନର ପାରି ଖେଳିଥିଲେ । କିନ୍ତୁ ମ୍ୟାଚ୍ରେ ୧୯ ତମ ଓଭରରେ ଦେଖିବାକୁ ମିଳିଥିଲା ରୋମାଞ୍ଚ । ୧୮ ତମ ଓଭର ଶେଷ ପରେ ଆଣ୍ଡ୍ରିୟୁ ଫ୍ଲିଣ୍ଟଫ୍ ଓ ଯୁବରାଜ ସିଂହଙ୍କ ମଧ୍ୟରେ କିଛି ବାକ୍ ଯୁଦ୍ଧ ହୋଇଥିଲା । ଯାହାର ପ୍ରଭାବ ୧୯ ତମ ଓଭରରେ ଦେଖିବାକୁ ମିଳିଥିଲା ।
ଇଂଲଣ୍ଡର ସେତେବେଳର ଯୁବ ବୋଲର ଷ୍ଟ୍ରୁଆର୍ଟ ବର୍ଡଙ୍କ ଓଭରରେ ୬ଟି ବଲ୍ରେ ମାରିଲେ ୬ଟି ଛକ୍କା । ଯାହାକି ସେତେବେଳେ ଥିଲା ବିଶ୍ୱରେକର୍ଡ । ଏପିରିକି ଟି-୨୦ କ୍ରିକେଟ୍ରେ ୬ଟି ବଲ୍ରେ ୬ଟି ଛକ୍କା ମାରିବାରେ ଏହା ଥିଲା ପ୍ରଥମ ଘଟଣା । ତାପରେ ବି ଥମିନଥିଲା ଯୁବରାଜ ସିଂହଙ୍କ ବ୍ୟାଟ୍ । ମାତ୍ର ୧୨ଟି ବଲ୍ରେ ହାସଲ କଲେ ଅର୍ଦ୍ଧଶତକ । ଶେଷରେ ୧୬ଟି ବଲ୍ରେ ଖେଳିଥିଲେ ୫୮ ରନ୍ର ବିସ୍ଫୋରକ ପାରି । ଆଉ ଏଥିରେ ସାମିଲ ଥିଲା ୭ଟି ଛକ୍କା ଏବଂ ୩ଟି ଚୌକା । ୩୬୨ର ଷ୍ଟ୍ରାଇକ୍ ରେଟ୍ରେ ଯୁବରାଜ ଏହି ରନ୍ ହାସଲ କରିଥିଲେ ।