(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ନୂଆପଡ଼ା ଜିଲ୍ଲାର କୋମନା ଥାନା ଅଞ୍ଚଳରେ ରବିବାର ପାରିବାରିକ କଳହକୁ ନେଇ ବୃଦ୍ଧ ବାପାଙ୍କୁ ପୁଅ ପଥରରେ ଛେଚି ହତ୍ୟା କରିଥିବା ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗାତିବେଡ଼ା ଗାଁର ଆମପଡ଼ାଠାରେ । ମୃତକ ହେଲେ ରାମସିଂ ମାଝୀ । ବାପାର ମୃତ୍ୟୁ ପରେ ପୁଅ ଆତ୍ମହତ୍ୟା କରିଥିବା ଜଣାଯାଇଛି ।
ସୂଚନା ଅନୁସାରେ ଗତିବେଡ଼ା ଗାଁର ଆମପଡ଼ାରେ ରାମସିଂ ଓ ତାଙ୍କର ପୁଅ ଚରଣ ଆଜି ଅପରାହ୍ନରେ ଘର ପାଖରେ ବସିଥିଲେ। ସେମାନେ କଥାବାର୍ତ୍ତା କରୁଥିବା ସମୟରେ ଉଭୟ ବାପା ଓ ପୁଅଙ୍କ ମଧ୍ୟରେ ପାରିବାରିକ ସମସ୍ୟାକୁ ନେଇ ବଚସା ହୋଇଥିଲା। ଚରଣ ମଦ ପିଇଥିବାରୁ ନିଜର ଭାରସାମ୍ୟ ହରାଇ ଅତି ନିର୍ମମ ଭାବେ ବାପାଙ୍କୁ ପଥରରେ ଛେଚି ହତ୍ୟା କରି ଦେଇଥିଲା। ବାପାଙ୍କ ମୃତ୍ୟୁ ପରେ ଶେଷରେ ଏକ ଗଛରେ ରସି ଲଗାଇ ଆତ୍ମହତ୍ୟା କରିଥିଲା । ବାପାଙ୍କ ମୃତ୍ୟୁ ପରେ ଚରଣର ସାନ ଭାଇ କିଛି ଗାଁ ଲୋକଙ୍କୁ ନେଇ କୋମନା ଥାନାରେ ଅଭିଯୋଗ କରିଛନ୍ତି। ଗତିବେଡ଼ା ଗାଁ ମାଓ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ପୋଲିସ ଆଜି ଘଟଣାସ୍ଥଳକୁ ଯାଇପାରି ନାହିଁ। ଆସନ୍ତାକାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ୨ଟି ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇବ ବୋଲି ଜଣାପଡ଼ିଛି।