ଏନଟିପିସି କଣିହାଁର ୩ଟି ୟୁନିଟି ବନ୍ଦ

0

(ଜ୍ୟୋତି ରଞ୍ଜନ ଧର) କଣିହାଁ :ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ ଅଧିନସ୍ଥ ଏନଟିପିସି କଣିହାଁ ପ୍ରକଳ୍ପ କୁ ଘାରିଛି କୋଇଲା ସଙ୍କଟ । ଦଳୀୟ ପାତିଆରା ବୃଦ୍ଧି ପାଇଁ ରାଜନୈତିକ ଫାଇଦା ଆଗରେ ଜାତୀୟ ସମ୍ପତ୍ତି ହୋଇଯାଇଛି ତୁଚ୍ଛ । ଏପରିକି ରାଜ୍ୟ ଗୃହ ବିଭାଗର ‘ଏସମା’ ଆଇନ ନିର୍ଦେଶ ହେଉଛି ‘ଫୁ’ । ପ୍ରଶାସନ ପାଲଟିଛି ବଟ ବୃକ୍ଷ ସଦୃଶ । ଏଭଳି ସ୍ଥିତରେ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଠାରେ ପରିଚାଳନାଧିନ ୨ୟ ସର୍ବବୃହତ ୩ ହଜାର ମେଗାୱାଟ୍ ଏନଟିପିସି କ୍ଷେତ୍ରରେ ଘଟିଛି । ଏହି ବିଦ୍ୟୁତ ପ୍ରକଳ୍ପ ପରିସରରେ ମହଜୁଦ ଥିବା କୋଇଲା କେବଳ ସୋମବାର ପାଇଁ ଗଛିତ ଅଛି । ଅର୍ଥାତ ଆସନ୍ତା କାଲି ପ୍ରକଳ୍ପ ନିମନ୍ତେ ଆଉ କୋଇଲା ନାହିଁ । କାଲି ଠାରୁ ଏକ ରକମର ୨ୟ ସର୍ବବୃହତ ପ୍ଲାଣ୍ଟ କୋଇଲା ସଙ୍କଟ ପାଇଁ ଅଚଳ ବୋଲି ଜଣାଯାଇଛି । ଯାହା ବିଭାଗୀୟ କର୍ତ୍ତୃପକ୍ଷଙ୍କ ମୁଣ୍ଡବ୍ୟଥାକୁ ବଢ଼ାଇ ଦେଇଛି। ଏବେ ଏଭଳି ପରିସ୍ଥିତି ହୋଇଛି କର୍ତ୍ତୃପକ୍ଷ ବାଧ୍ୟ ହୋଇ ୩ଟି ୟୁନିଟ୍ ରବିବାରଠାରୁ ବନ୍ଦ କରିଦେଇଛନ୍ତି। ଅନ୍ୟପକ୍ଷରେ ସମସ୍ତ ୟୁନିଟ୍ ବନ୍ଦ ହେଲେ ଓଡ଼ିଶା ସମେତ ଦକ୍ଷିଣ ଭାରତ,ପୂର୍ବଭାରତ ଓ ଉତ୍ତରଭାରତର ୧୭ଟି ରାଜ୍ୟକୁ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହେବ। ଏବେ ଉତ୍ପାଦିତ ବିଦ୍ୟୁତକୁ ଭାଗ ବଣ୍ଟା କରି ବିଭିନ୍ନ ରାଜ୍ୟକୁ ଦିଆଯାଉଛି। ତେବେ ଏଭଳି ପରିସ୍ଥିତି ବାରମ୍ବାର ଲାଗି ରହୁଥିଲେ ହେଁ ବିଭାଗୀୟ ଅଧିକାରୀମାନେ କାହିଁକି ଆଗୁଆ ଏବଂ କୌଣସି ସ୍ଥାୟୀ ପ୍ରତିକାର କରୁନାହାନ୍ତି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଓ ଅବହେଳାକୁ ମଧ୍ୟ ଏ ଦିଗରେ ଅଣଦେଖା କରାଯାଇ ନ ପାରେ। କଣିହାଁରେ ରହିଛି ୩ ହଜାର ମେଗାୱାଟ୍(୫ଶହ ମେଗାୱାଟ ବିଶିଷ୍ଟ) ୬ଟି ୟୁନିଟ। ଏହି ପ୍ରକଳ୍ପ ପାଇଁ ଦୈନିକ ୫୫ ହଜାର ମେଟ୍ରିକ ଟନ୍ କୋଇଲା ଆବଶ୍ୟକ ହୋଇଥାଏ। କଣିହାଁ କୋଇଲା ଖଣିରୁ ୨୫/୩୦ହଜାର ଟନ୍ ଓ ତାଳଚେର ଲିଙ୍ଗରାଜରୁ ୨୫/୩୦ହଜାର ଟନ୍ କୋଇଲା ମିଳିଥାଏ। ଭରତପୁର ମାଟି ଅତଡ଼ା ଖସିବା ପରେ ଗତ ୨୫ ତାରିଖରୁ ସମସ୍ତ କୋଇଲାଖଣି ବନ୍ଦ ରହିଛି। ଏନ୍ଟିପିସିକୁ ଆଦୌ କୋଇଲା ମିଳୁନାହିଁ। ଏନପିସିର କୋଇଲା ଷ୍ଟକ୍ରେ ଗଚ୍ଛିତ କୋଇଲାକୁ ଗତ କିଛିଦିନ ହେଲା ହେଲା ବିଦ୍ୟୁତ ଉତ୍ପାଦନ ନିମନ୍ତେ ବ୍ୟବହାର କରାଯାଉଥିଲା। ଏବେ ଷ୍ଟକ୍ରେ ୫୦ ହଜାର ଟନ୍ରୁ କମ କୋଇଲା ଥିବା ଏନପିସି ସୂତ୍ରରୁ ଜଣାପଡ଼ିଛି। ଯାହା ଅଧା ଦିନ ପାଇଁ ମଧ୍ୟ ଯଥେଷ୍ଟ ନୁହଁ। ଘୋର କୋଇଲା ସଙ୍କଟ ଦେଇ ଉକ୍ତ ପ୍ଲାଣ୍ଟ ଗତି କରୁଥିବା ବେଳେ ଏପଟେ ଷ୍ଟକ କୋଇଲା ନାହିଁ କି ଆବଶ୍ୟକ ପରିମାଣର କୋଇଲା ମିଳୁନି। ଫଳରେ କର୍ତ୍ତୃପକ୍ଷ ପ୍ଲାଣ୍ଟର ୧, ୪ ଏବଂ ୫ ନଂ. ୟୁନିଟକୁ ବନ୍ଦ କରି ସାରିଲେଣି। ଆବଶ୍ୟକ ପରିମାଣର କୋଇଲା ନ ମିଳିଲେ ଅବଶିଷ୍ଟ ୟୁନିଟ୍କୁ ବନ୍ଦ କରିବାକୁ ବାଧ୍ୟ ହେବେ ବୋଲି ଜଣାପଡ଼ିଛି। ରବିବାର ଅବଶିଷ୍ଟ ୩ଟି ୟୁନିଟର ୧୫ ଶହ ମେଗାୱାଟ୍ ବଦଳରେ ୯୮୦.୯୪ ୟୁନିଟ୍ ବିଦ୍ୟୁତ ଉତ୍ପାଦନ ହୋଇଥିଲା।
ସୂଚନାଥାଉ କି, ଏହି ପ୍ଲାଣ୍ଟରୁ ଦୈନିକ ଓଡ଼ିଶାକୁ ୫୨୩ ମେଗାୱାଟ୍ ବିଦ୍ୟୁତ୍ ଯୋଗାଇ ଦିଆଯାଇଥାଏ। କୋଇଲା ନ ମିଳିଲେ ଅନ୍ୟ ୟୁନିଟ ବନ୍ଦ କରିବାକୁ ପଡ଼ିବ ବୋଲି ଏନଟିପିସିର ଜନସମ୍ପର୍କ ଅଧିକାରୀ ଅମିତ କୁମାର ବେହେରା ପ୍ରକାଶ କରିଛନ୍ତି।

ଅପରପକ୍ଷରେ କୋଇଲା ସଙ୍କଟ ଯୋଗୁଁ ଏନଟିପିସି ପ୍ଲାଣ୍ଟକୁ କିପରି ଚାଲୁ ରଖିବା ପାଇଁ ବରିଷ୍ଠ ଅଧିକାରୀଙ୍କ ଘନ ଘନ ବୈଠକ ସାଙ୍ଗକୁ ରେଲୱେ ବିଭାଗ ସହିତ ସମନ୍ୱୟ ରଖି ୩ ଟି ସ୍ଥାନରୁ କୋଇଲା ଆଣିବା ପାଇଁ ରୋଡ଼ ମ୍ୟାପ ସ୍ଥିର କରିଛି। ଝାରଖଣ୍ଡର ଇସିଏଲ, ଓଡିଶାର ଇବ ଭାଲି ଏବଂ ତେଲଙ୍ଗାର ଶିଙ୍ଘରେରୀ ରୁ ରେଲୱେ ଯୋଗେ କୋଇଲା ଆଣି ପ୍ରକଳ୍ପ କୁ ସ୍ୱାଭାବିକ କରିବାନେଇ ଏନଟିପିସି ପ୍ରୟାସ ଜାରିରଖିଥିବା ଜଣାଯାଇଛି । କୋଇଲା ସଙ୍କଟ ସତ୍ୱେ ପ୍ଲାଣ୍ଟ ଚାଲୁ ରଖିଥିବା ବେଳେ ଆଗକୁ ପ୍ଲାଣ୍ଟ ସ୍ୱାଭାବିକ ପରିସ୍ଥିତି ରହିବ ବୋଲି ଏନଟିପିସି ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଥିବା ଏନଟିପିସି ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ବେହେରା ପ୍ରକାଶ କରିଛନ୍ତି।