ଧରା ପଡିଲେ ହୁଣ୍ଡି ଚୋର

0

ଗତ ୧୬ ତାରିଖ ରାତିରେ କିଛି ଅଭିଯୁକ୍ତମାନେ ବୁଢାପଡାର ଶ୍ରୀ ଶ୍ରୀ ସୋମନାଥ ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାର ଭାଙ୍ଗି ଦାନ ବାକ୍ସ ଭାଙ୍ଗି ଟଙ୍କା ଚୋରି କରିଥିଲେ। ଆଉ ଏହାକୁ ନେଇ ପୋଲିସ ପାଖରେ ରିପୋର୍ଟ କରିଥିଲେ ସୁଧାଂସୁ ଶେଖର ପଣ୍ଡା । ଯାହାପରେ ରିପୋର୍ଟ ଆଧାରରେ ମାମଲା ରୁଜୁ କରାଯାଇ ଏହାର ତଦନ୍ତ ଆରମ୍ଭ କରାଯାଇଥିଲା । ତଦନ୍ତ ସମୟରେ ଦେଖିବାକୁ ମିଳିଥିଲା କି, ସିସିଟିଭି ଫୁଟେଜରେ ଜଣେ ବ୍ୟକ୍ତି ମନ୍ଦିରରେ ପ୍ରବେଶ କରୁଥିବାର । ଆଉ ଆଜି ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ବିଭୂତିଭୂଷଣ ପଣ୍ଡା ଓରଫ ବିଗା, ବୃନ୍ଦାବନ ସାହୁ ଓରଫ ଚିକୁ, ଏବଂ ସୁରେଶ ବେହେରା ଓରଫ ଚନ୍ଦାଙ୍କୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି।

ତଦନ୍ତ ସମୟରେ ଆଜି ବୁଢାପଡା ଛକରେ ଚଢଉ କରାଯାଇ ଅଭିଯୁକ୍ତଙ୍କୁ କାବୁ କରାଯାଇଥିଲା। ତଲାସି ବେଳେ ଅଭିଯୁକ୍ତ ବିଭୁତିଙ୍କ ପାଖରୁ ୫,୧୭୦/- ଟଙ୍କା ଜବତ କରାଯାଇଥିଲା । ପଚରାଉଚରା ସମୟରେ, ଅଭିଯୁକ୍ତମାନେ ଚୋରିରେ ସେମାନଙ୍କର ସମ୍ପୃକ୍ତି ସ୍ୱୀକାର କରିଥିଲେ। ସେମାନଙ୍କ ବୟାନ ଅନୁଯାୟୀ, ସେମାନେ ଅଭିଯୁକ୍ତ ବୃନ୍ଦାବନ ସାହୁଙ୍କ ଘରେ ଅପରାଧ ପାଇଁ ପ୍ରସ୍ତୁତ ହୋଇଥିଲେ । ଯେଉଁଠାରୁ ସେମାନେ ସିସିଟିଭିରୁ ବଞ୍ଚିବା ପାଇଁ ଏକ ଲୁହା ରଡ୍ ଏବଂ କମ୍ବଳ ନେଇଥିଲେ। ଘଟଣା ରାତିରେ ଅଭିଯୁକ୍ତ ବିଭୂତି ଭୂଷଣ ମନ୍ଦିରରେ ପ୍ରବେଶ କରି ଚୋରି କରିଥିଲେ । ଯେତେବେଳେ ଅଭିଯୁକ୍ତ ବୃନ୍ଦାବନ ଏବଂ ସୁରେଶ ଲୋକଙ୍କ ଦୃଷ୍ଟି ହଟାଇବା ପାଇଁ ବାହାରେ ଜଗି ରହିଥିଲେ। ଚୋରୀ କରିବା ପରେ ସେମାନେ ଚୋରି ଟଙ୍କାରୁ କିଛି ଟଙ୍କା ମଦ କିଣିବା ପାଇଁ ମଧ୍ୟ ବ୍ୟବହାର କରିଥିଲେ। ଯାଞ୍ଚ ସମୟରେ ଅଭିଯୁକ୍ତ ବୃନ୍ଦାବନ ନାମରେ ଜଟଣୀ ଥାନାରେ ପୂର୍ବରୁ ୪ଟି ମାମଲା ଏବଂ ଅଭିଯୁକ୍ତ ସୁରେଶ ନାମରେ ଗୋଟିଏ ମାମଲା ରହିଥିବା ଜଣାପଡ଼ିଥିଲା ।