ଅନୁଭବ ସେୟାର କଲେ ଭିଡ଼ିଓ, ହାଇକୋର୍ଟର ଦ୍ୱାରସ୍ଥ ହେଲେ ବର୍ଷା

0

ଭୁବନେଶ୍ୱର: ସାଂସଦ ପତ୍ନୀ ହେଲେ ହାଇକୋର୍ଟର ଦ୍ୱାରସ୍ଥ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୋସିଆଲ ମିଡିଆରେ ତାଙ୍କ ନାଁରେ ଅପପ୍ରଚାର ବନ୍ଦ ନିର୍ଦ୍ଦେଶ ପାଇଁ ହାଇକୋର୍ଟରେ ବର୍ଷା ପିଟିସନ୍ ଦାଖଲ କରିଛନ୍ତି। ଏଥିରେ ସେ ସ୍ୱାମୀ ଅନୁଭବ ମହାନ୍ତି, ରାଜ୍ୟ ସରକାର, ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ପକ୍ଷଭୁକ୍ତ କରିଛନ୍ତି।ତେବେ ଏହା ପୂର୍ବରୁ ସୋସିଆଲ ମିଡିଆରେ ଅନୁଭବଙ୍କ ଭିଡିଓ ପୋଷ୍ଟ ଭାଇରାଲ ହେବା ପରେ, ବର୍ଷା ପ୍ରଥମେ ପୁରୀଘାଟ ଥାନା ଓ ପରେ ସାଇବର ଥାନାରେ ଏତଲା ଦେଇଥିଲେ।

ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ଛବି ଖରାପ କରାଯାଉଥିବା ଏବଂ ସ୍ୱାମୀ ଅନୁଭବ ମହାନ୍ତି ତାଙ୍କ ନାରୀତ୍ୱକୁ ଅପମାନିତ କରିଥିବା ଅଭିଯୋଗ କରି କଟକ ସାଇବର ଥାନାରେ ବର୍ଷା ଏତଲା ଦେଇଥିଲେ। କିଛି ବ୍ୟକ୍ତି ତାଙ୍କ ଛବି ଖରାପ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ବର୍ଷା ଅଭିଯୋଗ କରିଛନ୍ତି। ବର୍ଷାଙ୍କ ଏତଲା ଭିତ୍ତିରେ ଆଇପିସି (IPC) ଧାରା ୫୦୯ ଓ ଆଇଟି ଆକ୍ଟ (IT ACT)ରେ ମାମଲା ରୁଜୁ କରାଯାଇଛି।

ଅନ୍ୟପକ୍ଷେ, ସୋସିଆଲ ମିଡିଆରେ ସାଂସଦ ଅନୁଭବ ମହାନ୍ତି ଆଉ ଏକ ନୂଆ ଭିଡିଓ ସେୟାର କରିଛନ୍ତି। ଅନୁଭବ ମହାନ୍ତିଙ୍କ ନାଁରେ ଥିବା ଏକ ୟୁଟ୍ୟୁବ୍‌ ଚ୍ୟାନେଲରେ ଆଜି ସକାଳୁ ଏହି ଭିଡିଓଟି ଅପଲୋଡ୍‌ କରାଯାଇଛି। ତେବେ ଏହି ଭିଡିଓରେ ସେ ପତ୍ନୀ ବର୍ଷାଙ୍କୁ ଟାର୍ଗେଟ୍‌ କରିନାହାନ୍ତି। ବରଂ ସେ ନିଜ ପରିବାର ବିଷୟରେ କହିବା ସହିତ ତାଙ୍କ ଫ୍ୟାନ୍ସଙ୍କୁ ଉଦ୍ଦେଶ୍ୟରେ କିଛି ବାର୍ତ୍ତା ଦେଇଛନ୍ତି।