ବ୍ୟୁରୋ : କ୍ରିକେଟ ଜଗତର ମହାନ୍ ଖେଳାଳି ମହେନ୍ଦ୍ର ସିଂ ଧୋନୀ ସବୁବେଳେ ଚର୍ଚ୍ଚାର ପରିସରକୁ ଆସିଥାନ୍ତି । ହେଲିକପ୍ଟର ସଟ୍ ଠାରୁ ଆରମ୍ଭ କରି ଚାଷ ଜମିରେ ଚାଷ କରିବା । ପୁଣି ସେନା ଶିବିରରେ ୟୁନିଫର୍ମ ପିନ୍ଧି ବୁଲିବା ଠାରୁ ନେଇ ବାଇକ କଲେକ୍ସନ ସବୁ ଥିରେ ଚର୍ଚ୍ଚାରେ ମାହି । ହଟକେ ଅନ୍ଦାଜରେ ନଜର ଆସୁଥିବା ପୂର୍ବତନ କ୍ୟାପଟେନ୍ କୁଲଙ୍କର ଏବେ ଆଉ ଏକ ଅନ୍ଦାଜ୍ ବେଶ୍ ଚର୍ଚ୍ଚା ସାଉଁଟିଛି ।
ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ୨୦୨୫ ର ଶୁଭାରମ୍ଭ ମାର୍ଚ୍ଚ ୨୨ ତାରିଖରୁ ହେବାକୁ ଯାଉଛି । ୟେଲୋ ଜର୍ସି ଟିମର ଅନ୍ୟ ଖେଳାଳିଙ୍କ ସମେତ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ମଧ୍ୟ ଜୋରଦାର୍ ପ୍ରସ୍ତୁତିରେ ଲାଗିଛନ୍ତି । ଟ୍ରେନିଂ ସେସନରେ ନିଜ ଫର୍ମରେ ଝଲକ ଦେଖାଇ ସମସ୍ତଙ୍କୁ ଚକିତ କରିଛନ୍ତି ଥାଲ୍ଲା । ତେବେ ଏହାରି ଭିତରେ ମାହିଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ନିକଟରେ ଏକ ବିଜ୍ଞାପନରେ ବଲିଉଡ୍ ଅଭିନେତା ରଣବୀର କପୁରଙ୍କ ‘ଆନିମଲ୍’ ଫିଲ୍ମର ଚରିତ୍ରର ଅନୁକରଣ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି ଥାଲ୍ଲା । ଏହି ବିଜ୍ଞାପନଟି ଏକ ଇଲେକ୍ଟ୍ରିକ୍ ସାଇକେଲ୍ କମ୍ପାନୀ ପାଇଁ ତିଆରି କରାଯାଇଛି । ଯେଉଁଥିରେ ଧୋନୀ ଲମ୍ବା କେଶ ରଖି ରଣବୀର କପୁରଙ୍କ ପରି ଦେଖାଯାଉଛନ୍ତି ।
ବିଜ୍ଞାପନରେ ଧୋନୀ ନିଜର ଦାମୀ କାରରୁ ଓହ୍ଲାଇ ହାତରେ ଏକ ଇ-ସାଇକେଲ୍ ଧରି ରାସ୍ତା ପାର୍ ହେଉଥିବାର ନଜର ଆସୁଛନ୍ତି । ଫିଲ୍ମରେ ଯେପରି ରଣବୀର କପୁର ବନ୍ଧୁକ ଧରି ଚାଲୁଛନ୍ତି ଠିକ୍ ସେମିତି ନକଲ କରୁଛନ୍ତି ମାହି । ଫିଲ୍ମ ନିର୍ମାତା ସନ୍ଦୀପ ରେଡ୍ଡୀ ଭାଙ୍ଗା ମଧ୍ୟ ବିଜ୍ଞାପନରେ ଅଭିନୟ କରିଛନ୍ତି । ଭାଙ୍ଗା କହୁଛନ୍ତି “ମାଇଣ୍ଡ-ବ୍ଲୋଇଙ୍ଗ୍, ଫାଣ୍ଟାଷ୍ଟିକ୍, ମଜା ଆସିଗଲା ସାର୍ । ଲୋକେ ଅଭିନୟ ଦେଖି ସିଟି ମାରିବେ ନିଶ୍ଚୟ ।” ଧୋନୀ ‘ଆନିମଲ୍’ ଚରିତ୍ରରେ ଅଭିନୟ କଲା ପରି ଉତ୍ତର ଦେଉଛନ୍ତି, ” ଶୁନାଇ ଦେ ରହା ହେ ମୁଝେ , ବେହରା ନହିଁ ହୁଁ ମେ ।” ଭାଙ୍ଗା ଉତ୍ସାହର ସହିତ କହୁଛନ୍ତି, “ଅବ୍ ହୁଆ ନା ମେରା ହିରୋ ରେଡ଼ି ।”
ଏହି ବିଜ୍ଞାପନଟି ସୁଟ୍ ହେବା ପରେ ଅନଲାଇନରେ ଖୁବ୍ ଭାଇରାଲ୍ ହେଉଛି । ଲୋକେ ଧୋନୀଙ୍କ ଅଭିନୟ ଏବଂ ବିଜ୍ଞାପନର କନସେପ୍ଟକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି ।