ନୂଆଦିଲ୍ଲୀ: ଆସନ୍ତାକାଲି ମହାକାଶ ଯିବେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ଏକାଧିକଥର ବାତିଲ ପରେ ଶେଷରେ ଆସନ୍ତାକାଲି ମଧ୍ୟାହ୍ନରେ ଉଡ଼ାଣ ଭରିବ ସ୍ପେଶ୍ ଏକ୍ସର ମିଶନ୍ ଆକ୍ସିଅମ୍ -ଫୋର୍ । ଆସନ୍ତାକାଲି ଭାରତୀୟ ସମୟ ପୂର୍ବାହ୍ନ ୧୨ଟା ୧ରେ ଆକ୍ସିଓମ୍ ସ୍ପେସ୍ ଓ ସ୍ପେସେକ୍ସ ମିଶନ୍ ଲଞ୍ଚ ହେବ । ନାସାର କେନେଡ଼ି ସ୍ପେସ୍ ସେଣ୍ଟରରୁ ଫାଲକନ୍ ୩୯ଏରୁ ଲଞ୍ଚ ହେବ। ଏନେଇ ନାସା ପକ୍ଷରୁ ସୂଚନା ଦିଆଯାଇଛି । ନାସାର ଫ୍ଲୋରିଡା ସ୍ଥିତ କେନେଡି ସ୍ପେସ୍ ସେଣ୍ଟରରୁ ମିଶନ୍ ଲଞ୍ଚ ହେବ। ତେବେ ସଫଳତାପୂର୍ବକ ମିଶନ ଲଞ୍ଚ ହେଉ ବୋଲି ସମସ୍ତ ଭାରତୀୟଙ୍କ ଆଶା।
ଆକ୍ସିଅମ୍ ସ୍ପେସ୍ ଅନୁଯାୟୀ, ଢ-୪ କ୍ରୁରେ ଭାରତ, ପୋଲାଣ୍ଡ ଏବଂ ହଙ୍ଗେରୀର ମହାକାଶଚାରୀ ସାମିଲ ଅଛନ୍ତି। ଏହା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ତିନୋଟି ଦେଶର ପ୍ରଥମ ମିଶନ ଏବଂ ୪୦ବର୍ଷ ମଧ୍ୟରେ ସେମାନଙ୍କର ପ୍ରଥମ ସରକାରୀ ପ୍ରାୟୋଜିତ ମାନବ ମହାକାଶ ଯାତ୍ରା। ୧୯୮୪ ମସିହାରେ ରାକେଶ ଶର୍ମାଙ୍କ ମିଶନ ପରେ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ମହାକାଶକୁ ଯାଇଥିବା ଭାରତର ଦ୍ୱିତୀୟ ମହାକାଶଚାରୀ ହେବେ। ଆକ୍ସିଅମ୍ ସ୍ପେସର ଚତୁର୍ଥ ଘରୋଇ ମହାକାଶଚାରୀ ମିଶନ (ଢ-୪)ରେ ତାଙ୍କର ଅଂଶଗ୍ରହଣ ନାସା ସହିତ ଭାରତର ମହାକାଶ ସହଯୋଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ।
ଆକ୍ସିଅମ୍ ସ୍ପେସ୍ କହିଛି ଯେ ଢ-୪ ମିଶନ୍ ଭାରତ, ପୋଲାଣ୍ଡ ଏବଂ ହଙ୍ଗେରୀ ପାଇଁ ମାନବ ମହାକାଶ ଯାତ୍ରାର “ଫେରସ୍ତ” ହେବ, ଯାହା ତିନୋଟି ଦେଶ ପାଇଁ ସରକାରୀ ପ୍ରାୟୋଜିତ ମହାକାଶ ମିଶନର ଏକ ଐତିହାସିକ ପୁନରୁଦ୍ଧାରକୁ ଚିହ୍ନିତ କରିବ। ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ପ୍ରୋଟୋକଲ ଅନୁଯାୟୀ, ଢ-୪ କ୍ରୁ ଫ୍ଲୋରିଡାରେ କ୍ୱାରେଣ୍ଟାଇନ୍ ଜାରି ରଖିବେ। ପ୍ରଥମେ ମେ ୨୯ରେ ଆକ୍ସିଅମ୍-୪ ଲଞ୍ଚ ପାଇଁ ତାରିଖ ସ୍ଥିର ହୋଇଥିବା ବେଳେ ଡ୍ରାଗନରେ ସମସ୍ୟା ଯୋଗୁଁ ଜୁନ ୮କୁ ଘୁଞ୍ଚା ଯାଇଥିଲା । ହେଲେ ଫାଲକନ-୯ ରକେଟ ପ୍ରସ୍ତୁତିରେ ବିଳମ୍ବ ହେବାରୁ ଜୁନ ୯ ତାରିଖକୁ ଘୁଞ୍ଚା ଯାଇଥିଲା । ହେଲେ ଖରାପ ପାଗ ଯୋଗୁଁ ପୁଣି ଜୁନ ୧୦କୁ ଘୁଞ୍ଚିଥିଲା ଆକ୍ସିଅମ୍-୪ ମିଶନ। ଜୁନ ୧୦ରେ ଫାଲକନ୍ ୯ ଲଞ୍ଚ ଯାନକୁ ଯାଞ୍ଚ କରିବା ବେଳେ ସେଥିରେ ବୈଷୟିକ ତ୍ରୁଟି ଦେଖା ଯାଇଥିଲା। ପରୀକ୍ଷଣ ସମୟରେ ପ୍ରପଲ୍ସନ ବେରେ ଲିକୁଇଡ ଅକ୍ସିଜେନ ଲିକେଜ ହେବାରୁ ଜୁନ ୧୧ ଓ ପରବର୍ତ୍ତୀ ସମୟରେ ଜୁନ ୧୨କୁ ଘୁଞ୍ଚା ଯାଇଥିଲା । ଏହିପରି ଭାବେ ଜୁନ ୨୨ ପର୍ୟ୍ୟନ୍ତ ଘୁଞ୍ଚିଥିଲା । ଜବେଜଦା ସର୍ଭିସ ମୋଡ୍ୟୁଲରେ ମରାମତି କାର୍ୟ୍ୟ ବାକି ଥିବାରୁ ମିଶନ ଲଞ୍ଚିଂରେ ବିଳମ୍ବ ହୋଇଥିଲା ।
୧୯୮୪ରେ ପ୍ରଥମ ଭାରତୀୟ ଭାବେ ରାକେଶ ଶର୍ମା ମହାକାଶକୁ ଯାଇଥିବାବେଳେ ପ୍ରାୟ ଚାରି ଦଶନ୍ଧି ପରେ ଶୁଭାଂଶୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯିବେ। ଅନ୍ୟ ଯେଉଁ ତିନିଜଣ ଆଇଏସଏସକୁ ଯିବେ ସେମାନେ ହେଲେ ହଙ୍ଗେରୀର ତିବୋର କାପୁ, ନାସାର ପୂର୍ବତନ ଆଷ୍ଟ୍ରୋନଟ ପେଗି ହୁଇଟସନ, ପୋଲାଣ୍ଡ ତଥା ୟୁରୋପିଆନ ସ୍ପେସ ଏଜେନ୍ସିର ସ୍ଲାଓଜ ଉଜନସ୍କି ଉଇସନିସ୍କି। ମହାକାଶଚାରୀମାନେ ଆଇଏସଏସରେ ୧୪ ଦିନ ରହିବେ । ସେଠାରେ ସେମାନେ ବୈଜ୍ଞାନିକ ଗବେଷଣା କରିବା ସହ ୩୦ଟି ଦେଶର ବୈଜ୍ଞାନକଙ୍କ ସହ ଯୋଗାଯୋଗରେ ରହିବେ।