ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକ ଶେଷ ହୋଇଛି। ରାଜ୍ୟ କ୍ୟାବିନେଟ ବୈଠକରେ ୧୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ରାଜ୍ୟ ରାଜଧାନୀରୁ ପଞ୍ଚାୟତକୁ ସହଜରେ ପରିବହନ ବ୍ୟବସ୍ଥା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ନୂଆ ଯୋଜନା ‘ଲକ୍ଷ୍ମୀ’କୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଏହି ଯୋଜନାରେ କେବଳ ସହର ଓ ଗ୍ରାମାଞ୍ଚଳ ମଧ୍ୟରେ ପରିବହନ ସୁନିଶ୍ଚିତ କରିବ ନାହିଁ ବରଂ ରାସ୍ତା ଓ ସେତୁ ନିର୍ମାଣ ତଥା ମରାମତି କାର୍ଯ୍ୟକୁ ଗୁରୁତ୍ୱ ଦେବ। ସେହିପରି କାର୍ଯ୍ୟକ୍ରମ ଜରିଆରେ ବିଜୁ ଗାଁ ଗାଡ଼ି ଯୋଜନାକୁ ପୁନରୁଦ୍ଧାର କରାଯିବ।
ଏହି ‘ଲକ୍ଷ୍ମୀ’ ଯୋଜନାରେ ବ୍ଲକରେ ଅନ୍ୟୂନ ଗୋଟିଏ ‘ଆମ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ପରିଣତିସ୍ୱରୂପ ମହିଳା ସଶକ୍ତିକରଣଠାରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନ ଜୀବିକା, କୃଷି, ଶିଳ୍ପ, ପର୍ଯ୍ୟଟନ ଆଦି କ୍ଷେତ୍ର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଲାଭବାନ୍ ହେବ। ଏହି କାର୍ଯ୍ୟକ୍ରମରେ ୨୦୨୩-୨୪ ବର୍ଷ ପାଇଁ ସରକାର ୧୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବା ପାଇଁ ରାଜ୍ୟ ସରକାର ରେଳବାଇ, ରାଜପଥ, ଜଳପଥ ତଥା ଆକାଶ ମାର୍ଗରେ ଗମନାଗମନ ସୁନିଶ୍ଚିତ କରୁଥିବା ବେଳେ ତୃଣମୂଳ ସ୍ତରରେ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବ ଏହି କାର୍ଯ୍ୟକ୍ରମ। ବସ୍, ରେଳ ଷ୍ଟେସନ୍, ବାଣିଜ୍ୟିକ କେନ୍ଦ୍ର, ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଶିକ୍ଷାନୁଷ୍ଠାନ ପାଇଁ ଗ୍ରାମରୁ ସହର ପର୍ଯ୍ୟନ୍ତ ନିରବିଚ୍ଛିନ୍ନ ଯାତାୟତାର ସୁଯୋଗ ସୃଷ୍ଟି କରିବା ପାଇଁ ଏହି ଯୋଜନାରେ ଲକ୍ଷ୍ୟ ରହିଛି। ଏଥିନିମନ୍ତେ ଚଳିତ ବର୍ଷ ପରିବହନ ବିଭାଗ ଆରମ୍ଭ କରିଛି ଲୋକେସନ୍ ଆକ୍ସେସିବଲ୍ ମଲ୍ଟିମୋଡାଲ ଇନିସିଏଟିଭ୍ (ଏଲ୍ଏସିସିଏମ୍ଆଇ) ଅବା ଲକ୍ଷ୍ମୀ କାର୍ଯ୍ୟକ୍ରମ।