ପୁଣି ଫେରିପାରେ ମାସ୍କ ନିୟମ : ପ୍ରଧାନମନ୍ତ୍ରୀଙ୍କ କରୋନା ସମୀକ୍ଷା ବୈଠକ

0

ନୂଆଦିଲ୍ଲୀ : ଚୀନର ନୂଆ ଭାରିଆଣ୍ଟ ସାରା ବିଶ୍ୱରେ ଚିନ୍ତା ବଢାଇଥିବା ବେଳେ ଭାରତରେ କରୋନା ମୁକାବିଲା ନେଇ ସତର୍କତା ବଢିଛି । ଏହାରି ଭିତରେ କରୋନା ନେଇ ସମୀକ୍ଷା ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଭର୍ଚୁଆଲ ମିଟିଂରେ ବିଭାଗୀୟ ମନ୍ତ୍ରୀ, ସଚିବ ଓ ବରିଷ୍ଠ ଅଧିକାରୀଙ୍କୁ ନେଇ ବୈଠକ କରିଛନ୍ତି । କେମିତି ନୂଆ ଭାରିଆଣ୍ଟର ମୁକାବିଲା କରିହେବ । ଭାରତ କରୋନା ପାଇଁ କେତେ ସଚେତନ ଅଛି ସେ ନେଇ ହୋଇଛି ବୈଠକ । ମିଳିଥିବା ସୂଚନା ଅନୁସାରେ ବୈଠକ ପରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଏକ ନୂଆ କରୋନା ଗାଇଡଲାଇନ ଜାରି କରିବାର ସମ୍ଭାବନା ରହିଛି । ଏଥିରେ ପୁଣି ମାସ୍କ ପିନ୍ଧିବାକୁ ଲୋକମାନଙ୍କୁ କୁହାଯିବ । ଏହା ସହିତ ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ନମୁନା ପରୀକ୍ଷଣ କରାଯିବ । ଏଥିରେ ଗୃହମନ୍ତ୍ରୀ ଅମିତ ଶାହା, ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭିଅ, ସ୍ବାସ୍ଥ୍ୟ ସଚିବ ରାଜେସ ଭୂଷଣ, ନିତି ଆୟୋଗ ସଦସ୍ୟ ଡ.ଭି.କେ.ପଲ ସମେତ କେତେକ ବରିଷ୍ଠ ମନ୍ତ୍ରୀ ଓ ଅଧିକାରୀ ଯୋଗ ଦେଇଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଏହି ବୈଠକର ପୂର୍ବରୁ ସ୍ବାସ୍ଥ୍ୟମନ୍ତ୍ରୀ ମାଣ୍ଡଭିଅ ରାଜ୍ୟସଭାରେ ଏକ ବୟାନ ରଖି କହିଛନ୍ତି ଯେ ଦେଶରେ ସ୍ଥିତି ନିୟନ୍ତ୍ରଣରେ ରହିଛି । ଦେଶରେ ଯଥେଷ୍ଟ ପରିମାଣରେ ଔଷଧ ମହଜୁଦ ରହିଛି । ପ୍ରତି ବଡ଼ ହସପିଟାଲ ନିକଟରେ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରାଯାଇଛି । ତେବେ କେନ୍ଦ୍ର ସରକାର କୋଭିଡ୍କୁ ନେଇ କୌଣସି ରାଜନୀତି କରୁନାହାନ୍ତି ବୋଲି ସେ କହିଛନ୍ତି । ବୁଧବାରଦିନ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଜାରି ପରାମର୍ଶରେ ନୂଆ କୋଭିଡ୍ ଭାରିଆଣ୍ଟଗୁଡ଼ିକ ଉପରେ ନଜର ରଖିବା ସହ ଜିନୋମ ସିକ୍ବେନସିଂ ପାଇଁ କୁହାଯାଇଥିଲା ।

ଗତ ୨୪ ଘଣ୍ଟାରେ ଦେଶରୁ ୧୨୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ଥିତି ଉପରେ ନଜର ରଖିଛନ୍ତି ସରକାର । ଆତଙ୍କିତ ନହେବାକୁ ପରାମର୍ଶ ଦିଆଯାଇଥିବା ବେଳେ ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବାକୁ କୁହାଯାଇଛି ।