୪ଟି ରାଜ୍ୟର ରାଜ୍ୟସଭା ନିର୍ବାଚନ ଫଳାଫଳ ଘୋଷଣା
ଶିଳ୍ପପତି ସୁବାସ ଚନ୍ଦ୍ରା ପରାସ୍ତ, ପିୟୁଷ ଗୋଏଲ୍, ରଣଦୀପ ସିଂ ସୂରେଜୱାଲା ନିର୍ବାଚିତ
ନୂଆଦିଲ୍ଲୀ: ସଂପ୍ରତି ୪ଟି ରାଜ୍ୟରେ ୧୬ଟି ରାଜ୍ୟସଭା ଆସନ ଲାଗି ଅନୁଷ୍ଠିତ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି । ହରିୟାନାରେ ଦୁଇଟି ଆସନରୁ ଗୋଟିଏ ବିଜେପି ଜିତିଥିବାବେଳେ ଗୋଟିଏ କଂଗ୍ରେସ ଖାତାକୁ ଯାଇଛି । ସେହପରି ମହାରାଷ୍ଟ୍ରରେ ୬ଟି ଆସନରେ ଅନୁଷ୍ଠିତ ନିର୍ବାଚନରେ ବିଜେପି ୩ଟି ଆସନ ଜିତିଥିବାବେଳେ କଂଗ୍ରେସ, ଏନସିପି, ଶିବସେନା ସମସ୍ତେ ଗୋଟିଏ ଲେଖାଏଁ ଜିତିଛନ୍ତି । ରାଜସ୍ଥାନରେ ୪ଟି ଆସନ ମଧ୍ୟରୁ ୩ଟି ଆସନ କଂଗ୍ରେସ ଅକ୍ତିଆର କରିଥିବାବେଳେ ଗୋଟିଏ ଆସନ ବିଜେପି ଅକ୍ତିଆର କରିଛି । କର୍ଣ୍ଣାଟକରେ ୪ଟି ଆସନ ମଧ୍ୟରୁ ୩ଟି ଆସନ ବିଜେପି ଅକ୍ତିଆର କରିଥିବାବେଳେ କଂଗ୍ରେସ ଗୋଟିଏ ଆସନ ଅକ୍ତିଆର କରିଛି ।
ଅନୁଷ୍ଠିତ ନିର୍ବାଚନରେ ଅନେକ ରୋଚକପୂର୍ଣ୍ଣ ଘଟଣାମାନ ଦେଖିବାକୁ ମିଳିଛି । ହରିୟାନାରୁ କ୍ରସ୍ ଭୋଟିଂ ଯୋଗୁ କଂଗ୍ରେସର ବରିଷ୍ଠ ନେତା ଅଜୟ ମାକେନଙ୍କୁ ପରାସ୍ତ ହେବାକୁ ପଡିଛି । ମହାରାଷ୍ଟ୍ରରୁ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଏନସିପି ନେତା ପ୍ରଫୁଲ୍ଲ ପଟେଲ ନିର୍ବାଚିତ ହୋଇଛନ୍ତି । ରାଜସ୍ଥାନରୁ ମୁକୁଲ ୱାସିକ, ରଣଦୀପ ସିଂ ସୂରେଜୱାଲା, ପ୍ରମୋଦ ତିୱାରୀ ପ୍ରମୁଖ ନିର୍ବାଚିତ ହୋଇଛନ୍ତି । ସ୍ୱାଧୀନ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମିଡିଆ ମ୍ୟାନ୍ ତଥା ଶିଳ୍ପପତି ସୁବାଷ ଚନ୍ଦ୍ରାଙ୍କୁ ପରାସ୍ତ ହେବାକୁ ପଡିଛି । ସେହିପରି କର୍ଣ୍ଣାଟକରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ପ୍ରମୁଖ ନିର୍ବାଚିତ ହୋଇଛନ୍ତି ।