ବାଗେଶ୍ୱର ବାବାଙ୍କ କଥାରେ ପ୍ରତିକ୍ରିୟା ରଖି ଶଙ୍କରାଚାର୍ଯ୍ୟ କହିଲେ ଧକ୍କା ମାରି ମୋକ୍ଷ ଦେବୁ…

0

ବ୍ୟୁରୋ : ୧୪୪ ବର୍ଷ ପରେ ପବିତ୍ର ଭୂମି ପ୍ରୟାଗରାଜରେ ମହାକୁମ୍ଭମେଳା ଅବସରରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇ ଶ୍ରଦ୍ଧାଳୁ ଆତ୍ମସନ୍ତୋଷ ଲାଭ କଲେ । ବିଦେଶରୁ ଆସି ବିଦେଶୀ ମହାକୁମ୍ଭମେଳା ଦେଖି ଚକିତ ହେଲେ । ଶ୍ରଦ୍ଧାଳୁ ପିତାମାତାଙ୍କୁ କାନ୍ଧରେ ବସାଇ ସାଧୁସନ୍ଥଙ୍କ ଆଶିର୍ବାଦ ନେଲେ । କହିବାକୁ ଗଲେ ଅପାରଶାନ୍ତି ଲାଭ କଲେ ଭକ୍ତ ।

ଏହାରି ଭିତରେ ବି ଅଶାନ୍ତି ଖେଳାଇଦେଲା ଧାଁଦଉଡ଼ , ଦଳାଚକଟା । ଉକ୍ତ ସ୍ଥାନ ପାଖରେ ଷ୍ଟଲ୍ ପକାଇଥିବା ଦୋକାନୀ ସେ ସମୟର କଥା କହୁ କହୁ କାନ୍ଦିପକାଉଛନ୍ତି । ହେଲେ ସେନେଇ ବାଗେଶ୍ବର ବାବା ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବୟାନ୍ ଏବେ ଚର୍ଚ୍ଚାର ପରିସରକୁ ଆସିଛି । ମହାକୁମ୍ଭରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ ନେଇ ବାଗେଶ୍ବର ବାବା କହିଛନ୍ତି ଯେ , ମୃତକଙ୍କୁ ମୋକ୍ଷ ପ୍ରାପ୍ତି ହୋଇଗଲା । ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଏହି ଟିପ୍ପଣୀ ଉପରେ ଜୋରଦାର୍ ପ୍ରତିକ୍ରିୟା ରଖିଛନ୍ତି ଶଙ୍କରାଚାର୍ୟ୍ୟ ସ୍ବାମୀ ଅବିମୁକ୍ତେଶ୍ବରାନନ୍ଦ ସରସ୍ବତୀ ।

ଶଙ୍କରାଚାର୍ୟ୍ୟ କହିଛନ୍ତି , ବାଗେଶ୍ବର ବାବାଙ୍କୁ ବି ମୋକ୍ଷ ଦେଇଦିଅ । ସେ ରାଜି ଥିଲେ ଆମେ ତାଙ୍କୁ ଧକ୍କା ମାରି ମୋକ୍ଷ ଦେବାକୁ ଆଗକୁ ବଢିବୁ । କାହାକୁ ମୋକ୍ଷ ପ୍ରାପ୍ତ ହେଲା , କାହାକୁ ମୋକ୍ଷ ମିଳିଲାନି ଏ ପର କଥା । କିନ୍ତୁ ପାଦ ତଳେ ଏମିତି ଦଳାଚକଟା ହୋଇ କୁନିପିଲା , ମହିଳା , ବୃଦ୍ଧ ନିଶ୍ବାସ ନନେଇ ଛଟପଟ ହୋଇ ମରିବା ଆଦୌ ଗ୍ରହଣୀୟ ନୁହେଁ । ମୋକ୍ଷ ମିଳିଗଲା ବୋଲି କହିବା ସରଳ କଥା । ଯଦି ମୋକ୍ଷର କଥା କହୁଥିବା ଲୋକ କିଏ ମୋକ୍ଷ ପାଇବାକୁ ଚାହୁଁଛନ୍ତି ଆମେ ତାଙ୍କ ଆଶା ପୂରଣ କରିଦେବୁ ।


ସୂଚନା ଯୋଗ୍ୟ ଯେ, ମୌନୀ ଅମାବାସ୍ୟା ଅବସରରେ ସଙ୍ଗମତଟରେ ପ୍ରବଳରୁ ଅତିପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ସରକାରଙ୍କ ରିପୋର୍ଟରେ ଧାଁଦଉଡ଼ ଭିତରେ ଦଳାଚକଟାରେ ୩୦ ଲୋକଙ୍କ ମୃତ୍ୟୁ ହୋଇଛି । କିନ୍ତୁ ପ୍ରତ୍ୟକ୍ଷଦର୍ଶୀ ଏହାକୁ ଖଣ୍ଡନ କରୁଛନ୍ତି । ତେବେ ବାଗେଶ୍ବର ବାବା ନିଜର ଏକ କାର୍ୟ୍ୟକ୍ରମରେ ଏହି ମୃତକଙ୍କ କଥା କହୁ କହୁ ମୃତ୍ୟୁକୁ ମୋକ୍ଷ ବୋଲି କହିଛନ୍ତି । ସେ କହିଛନ୍ତି , ‘କେହି ଅମର ନୁହଁନ୍ତି , ସମସ୍ତେ ମରିବା । ଦେଶରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକ ଇହକାଳ ଗମନ କରୁଛନ୍ତି । କିଛି ବିନା ଔଷଧରେ ଆଉ କିଏ ଔଷଧ ଖାଇ ମରୁଛନ୍ତି । ଦିନେ ନା ଦିନେ ସମସ୍ତେ ମରିବା , କିନ୍ତୁ ଗଙ୍ଗାତଟରେ ହୋଇଥିବା ମୃତ୍ୟୁ-ମୃତ୍ୟୁ ନୁହଁ ମୋକ୍ଷ । ତେଣୁ ମହାକୁମ୍ଭରେ ମୃତ୍ୟୁ ନୁହେଁ ସେମାନଙ୍କର ମୋକ୍ଷ ହୋଇଛି ।