ଥୋମାସ କପ୍ ବିଜେତା ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଖେଳାଳିଙ୍କୁ ସମ୍ୱର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: ଥୋମାସ କପ୍ ବିଜେତା ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ।ଏହି ଟିମର ପ୍ରତ୍ୟେକ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଥୋମାସ୍ କପ୍ ଜିତିଥିବା ଭାରତୀୟ ଦଳର ସମସ୍ତ ଖେଳାଳୀଙ୍କୁ ୧୦ ଲକ୍ଷ ଲେଖାଏଁ ପୁରସ୍କାର ରାଶି ମଧ୍ୟ ପ୍ରଦାନ କରାଯାଇଛି । ଥୋମାସ କପ୍ ବିଜେତା ଦଳର ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଲୋକସେବା ଭବନ କନଭେନସନ ସେଣ୍ଟରରେ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା । ଏହି ଉତ୍ସବରେ ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳି ପୁଲେଲା ଗୋପିଚାନ୍ଦଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ୧୪ ଥର ଥୋମାସ କପ୍ ବିଜେତା ଇଣ୍ଡୋନେସିଆକୁ ପରାସ୍ତ କରି ଟାଇଟଲ ହାସଲ କରିଥିଲା ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଟିମ୍ ।

ମେ ୧୫ରେ ଥାଇଲ୍ୟାଣ୍ଡର ଇମ୍ପାକ୍ଟ ଆରେନାରେ ଖେଳାଯାଇଥିବା ଥୋମାସ୍ କପ୍ ଜିତିବା ପାଇଁ ଭାରତୀୟ ଦଳ ୧୪ଥର ଚାମ୍ପିଅନ ଇଣ୍ଡୋନେସିଆକୁ ପରାସ୍ତ କରି ଇତିହାସ ଲିପିବଦ୍ଧ କରିଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଫେରିବା ପରେ ଦଳର ସଦସ୍ୟଙ୍କ ସହ କଥାବାର୍ତ୍ତା କରିଛନ୍ତି ଏବଂ ଏହି ସଫଳତା ପାଇଁ ସେମାନଙ୍କୁ ପ୍ରଶଂସା କରିଛନ୍ତି । ଏବଂ ଟିମର ଏହି ବିଜୟ ସମସ୍ତ ଭାରତୀୟଙ୍କୁ ଗର୍ବିତ କରିଛି ବୋଲି ସେ କହିଥିଲେ ।

ଭାରତୀୟ ଦଳର ଏହି ଐତିହାସିକ ବିଜୟ ପରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଦଳକୁ ଅଭିନନ୍ଦନ ଜଣାଇବା ସହ ୧ କୋଟି ଟଙ୍କା ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲେ । ଏହି ସମ୍ବର୍ଦ୍ଧନା ଉତ୍ସବରେ ବିଶ୍ୱ ଚାମ୍ପିଅନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଦେଶ ପାଇଁ ତଥା ସମ୍ପୂର୍ଣ୍ଣ ରାଷ୍ଟ୍ର ପାଇଁ ଥୋମାସ କପ୍ ବିଜୟ ଏକ ଐତିହାସକ ମୁହୂର୍ତ୍ତ ଅଟେ। ବ୍ୟାଡମିଣ୍ଟନ ଭଳି ଖେଳରେ ଭାରତ ଦେଶ ତଥା ଦେଶ ବାହାରେ ଉତ୍କର୍ଷତା ହାସଲ କରିଛି । ବ୍ୟାଡମିଣ୍ଟନରେ ଦେଶରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି । ୧୦ ବର୍ଷ ହେଲା ଭାରତ ଅନ୍ତର୍ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରୁଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ବକ୍ତବ୍ୟରେ କହିଥିଲେ।