ଏଣିକି ଓଡ଼ିଆରେ ନାମଫଳକ ବାଧ୍ୟତାମୂଳକ; ନିୟମକୁ ଖିଲାପ କଲେ ଲାଇସେନ୍ସ ହେବ ରଦ୍ଦ

ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ନାମଫଳକ ବାଧ୍ୟତାମୂଳକ

0

ଭୁବନେଶ୍ୱର: ଏଣିକି ବାଧ୍ୟତାମୂଳକ ଓଡ଼ିଆରେ ନାମଫଳକ । ଓଡ଼ିଶାର ସମସ୍ତ ଦୋକାନ ଓ ବ୍ୟବସାୟୀକ ଅନୁଷ୍ଠାନରେ ଓଡ଼ିଆରେ ନାମଫକଳ ନ ଲେଖା ହେଲେ ରଦ୍ଦ ହେବ ଲାସେନ୍ସ । ଏ ନେଇ କଡ଼ା ନିରୀକ୍ଷଣ କରିବେ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ । ତେବେ ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ନିଷ୍ପତ୍ତି ହୋଇଛି।

ତେବେ ପୂର୍ବରୁ ଦୋକାନ ଓ ବ୍ୟବସାୟୀକ ଅନୁଷ୍ଠାନରେ ନାମଫଳକ ବାଧ୍ୟତାମୂଳକ କରାଯାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ତାହା ସମ୍ପୂର୍ଣ୍ଣ ରୂପେ ସଫଳ ହୋଇପାରିନାହିଁ । ଅର୍ଥାତ, ବର୍ତ୍ତମାନସୁଦ୍ଧା ରାଜ୍ୟର ପୌରାଞ୍ଚଳରେ ମୋଟ ୫୨,୦୦୦ ପଞ୍ଜୀକୃତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ମଧ୍ୟରୁ ପ୍ରାୟତଃ ୪୭,୦୦୦ ପ୍ରତିଷ୍ଠାନରେ ଓଡ଼ିଆର ନାମଫଳକ ଲେଖାଯାଇଛି । ଖିଲାପକାରୀଙ୍କ ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନମାନଙ୍କୁ ୭ଦିନିଆ ନୋଟିସ ଦିଆଯିବ। ଚଳିତ ମାସରୁ ନିୟମ ଅନୁପାଳନ ନହେଲେ ଦୃଢ କାର୍ୟ୍ୟାନୁଷ୍ଠାନ ସହ ଜରିମାନା ଆଦାୟ କରାଯିବ। ଏଥିସହ ଲାଇସେନ୍ସ ରଦ୍ଦ କରାଯିବ । ସବୁଠୁ ବଡ଼ କଥା ହେଉଛି ପ୍ରଥମ ଥର ଖିଲାପକାରୀଙ୍କୁ ୫ହଜାର ଟଙ୍କା ଜରିମାନା ଏବଂ ଦ୍ୱିତୀୟ ଥର ଖିଲାପକାରୀଙ୍କୁ ୨୫ହଜାର ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ।

ଜିଲ୍ଲାସ୍ତରରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶ୍ରମ ଅଧିକାରୀ, ପୌରାଞ୍ଚଳ କାର୍ୟ୍ୟନିର୍ବାହୀ ଅଧିକାରୀ ଓ ବଜାର ଏବଂ ବାଣିଜ୍ୟ ସଂଘ ସହ ପ୍ରତିମାସରେ ବୈଠକ ହେବ। ଆଜି ଅନୁଷ୍ଠିତ ବୈଠକରେ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ, ଶ୍ରମ ଆୟୁକ୍ତ ଓ ଜିଲ୍ଲା ଶ୍ରମ ଅଧିକାରୀ ସାମିଲ ହୋଇଥିଲେ।