(ରିପୋର୍ଟସଟୁଡେ) ଛତିଶଗଡର ଦାଦାଗିରି ମହାନଦୀ ପାଇଁ ମହାଘାତକ ସାଜିଛି। ରାଜ୍ୟର ୧୬ଟି ଜିଲ୍ଲା ଘୋର ବିପର୍ୟ୍ୟୟ ଆଡକୁ ଟାଣି ହୋଇଗଲେଣି। ମହାନଦୀ ଟ୍ରିବ୍ୟୁନାଲ ଏବେ ଏହା ଉପରେ ଶୁଣାଣି ଆରମ୍ଭ କରିଛନ୍ତି। ସମଗ୍ର ରାଜ୍ୟବାସୀ ଏହାକୁ ନେଇ ଆଶା ଆଶଙ୍କା ଭିତରେ ଥିବା ବେଳେ ବ୍ରାହ୍ମଣୀ ନଦୀ ପ୍ରତି ଦେଖା ଦେଇଥିବା ବିପଦ ଏବେ ରାଜ୍ୟର ଆଉ କିଛି ଜିଲ୍ଲାର ଅର୍ଥନୀତିକୁ ବିଗାଡ଼ି ଦେଇପାରେ।
ଖୋଦ୍ ରାଜ୍ୟ ସରକାରଙ୍କ ଜଳସଂପଦ ବିଭାଗ ବିଧାନସଭାରେ ସ୍ବୀକାର କରିଛନ୍ତି ଯେ ବ୍ରାହ୍ମଣୀ ନଦୀର ଉପର ମୁଣ୍ଡରେ ଝାଡ଼ଖଣ୍ଡ ସରକାର ୧୫ଟି ବନ୍ଧ ନିର୍ମାଣ କରିସାରିଛନ୍ତି। ଆଉ ୩ଟି ବନ୍ଧ ନିର୍ମାଣ କରିବେ। ଏହି ୧୮ଟି ପ୍ରକଳ୍ପ ମଧ୍ୟରୁ ଗୋଟିଏ ଜଳ ବିଦ୍ୟୁତ ପ୍ରକଳ୍ପ ଥିବା ବେଳେ ଆଉ ୧୭ଟି ଜଳସେଚନ ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଇଛି।ରାଜ୍ୟ ସରକାରଙ୍କ ଜଳସଂପଦ ବିଭାଗ କହିଛି, ଝାଡ଼ଖଣ୍ଡ ସରକାର ବ୍ରାହ୍ମଣୀର ଉପନଦୀ ଶଙ୍ଖ ଓ କୋଏଲ୍ ନଦୀ ଉପରେ ଅପର୍ ସୁଙ୍କି ଜଳବିଦ୍ୟୁତ ପ୍ରକଳ୍ପ ଗୁମ୍ଲା ଜିଲ୍ଲାରେ କାର୍ୟ୍ୟକ୍ଷମ କରିଛନ୍ତି। ଏହାଛଡ଼ା ଅନ୍ୟ ୧୪ଟି ନଦୀବନ୍ଧ ଜଳସେଚନ ଉଦ୍ଦେଶ୍ୟରେ ଶଙ୍ଖ ଓ କୋଏଲ୍ ନଦୀ ଉପରେ ନିର୍ମାଣ କରାଯାଇଛି। ଆଉ ତିନିଟି ପ୍ରକଳ୍ପ ଉପରେ ସରକାର ପଦକ୍ଷେପ େନବାକୁ ଯାଉଛନ୍ତି।