ମାହାଙ୍ଗା: ମାହାଙ୍ଗା ବାସୀଙ୍କ ପାଇଁ “ଶରତ କର ଜଣେ ପ୍ରଚଣ୍ଡ ସ୍ଵାଭିମାନୀ ଏବଂ ନିଷ୍କପଟ ଦରଦୀ ଜନନେତା ଥିଲେ” ବୋଲି ତାଙ୍କ ୮୫ ତମ ଜୟନ୍ତୀ ଅବସରରେ କୁଆଁପାଳ ଠାରେ ଆୟୋଜିତ ସ୍ବର୍ଗତ କରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବହୁ ବିଶିଷ୍ଟ ବ୍ୟକ୍ତି ତଥା ବରିଷ୍ଠ ବୁଦ୍ଧିଜୀବି ମତ ବ୍ୟକ୍ତ କରିଛନ୍ତି । କୁଆଁପାଳ ବ୍ଲକ୍ ଅଫିସ୍ ସମ୍ମୁଖସ୍ଥ ଶରତ କୁମାର କରଙ୍କ ପ୍ରତିମୂର୍ତ୍ତି ନିକଟରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଂଚଳରୁ ଆସିଥିବା ପ୍ରାୟ ସହସ୍ରାଧିକ ଜନସାଧାରଣ ଯୋଗଦେଇ ଦିବଂଗତ ନେତାଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
ଏହି ଜୟନ୍ତୀ ଉତ୍ସବରେ ସ୍ବାଗତ ଭାଷଣ ଦେଇ ମାହାଙ୍ଗା ମୈତ୍ରୀ ମଞ୍ଚର ସାଧାରଣ ସଂପାଦକ ତଥା ସ୍ତମ୍ଭକାର ଅବନୀ ଚନ୍ଦ୍ର ଦାସ ସ୍ୱର୍ଗତ କରଙ୍କ ବହୁମୁଖି ପ୍ରତିଭା ସଂପର୍କରେ ଅବତାରଣା କରିବା ସହିତ ରାଜ୍ୟରେ ମାହାଙ୍ଗା ର ମହାନ୍ ପୂଜ୍ୟପୂଜା ପରମ୍ପରା ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶରତ କର ଓ ଅନିମା କର ଫାଉଣ୍ଡେସନର ଅଧ୍ୟକ୍ଷ ତଥା ପ୍ରାକ୍ତନ ଆୟକର ଆୟୁକ୍ତ, ବିଶିଷ୍ଟ ସମାଜସେବୀ ଶୋଭନ କର କହିଲେ ଯେ ତାଙ୍କ ପିତା ସ୍ବର୍ଗତ ଶରତ କର ପ୍ରତ୍ୟେକ ମାହାଙ୍ଗା ବାସୀଙ୍କ ହୃଦୟରେ ଆଜି ବି, ବିରାଜିତ ହୋଇ ରହିଛନ୍ତି । ଆଗାମୀ ଦିନରେ ତାଙ୍କ ପିତା ସ୍ବର୍ଗତ କରଙ୍କ ସ୍ୱପ୍ନର ମାହାଙ୍ଗାକୁ ଏକ ନବୀନ ରୂପରେଖ ଦେବାପାଇଁ ସେ ସଂକଳ୍ପ ନେଇ ଆସିଛନ୍ତି ବୋଲି ଉଲ୍ଲେଖ କରିଥିଲେ । ଏହି ଅବସରରେ ସ୍ବର୍ଗତ କରଙ୍କ ପ୍ରତିମୂର୍ତ୍ତି ରେ ଉତ୍ତରୀୟ, ପୁଷ୍ପମାଲ୍ୟ,ଧୂପ ଦୀପ ଆଦି ଶ୍ରଦ୍ଧାର୍ଘ୍ୟ ଅର୍ପଣ କରିବା ସହିତ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ଜାତିର ପିତା ମହାତ୍ମା ଗାନ୍ଧୀ, ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ଚୌଧୁରୀ ଧୀରେନ୍ଦ୍ର ନାଥ ମିଶ୍ର, କୁଆଁପାଳ ବଜାର ସ୍ଥିତ ମାହାଙ୍ଗା ର ପୂର୍ବତନ ବିଧାୟକ ତଥା ରାଜନେତା ଶେଖ୍ ମତଲୁବ୍ ଅଲ୍ଲୀ ଙ୍କ ସମେତ ଅନ୍ୟାନ୍ୟ ଦିବଂଗତ ସ୍ଥାନୀୟ ଲୋକ ପ୍ରତିନିଧି ଏବଂ ବଜାର କମିଟି ସଭାପତି ପ୍ରମୁଖଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଶୋଭନ କର ।
ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ରାଜନେତା, କୃଷକ ନେତା, ବ୍ଲକ୍ ସ୍ତରୀୟ, ପଞ୍ଚାୟତ ସ୍ତରୀୟ ପ୍ରାକ୍ତନ ପ୍ରତିନିଧି, ଶିକ୍ଷାବିତ୍, ତଥା ବରିଷ୍ଠ ବୁଦ୍ଧିଜୀବି ସର୍ବଶ୍ରୀ ରୁଦ୍ର ନାରାୟଣ ସିଂହ, ଜିତେନ୍ଦ୍ର ତ୍ରିପାଠୀ, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ରାମ ଚନ୍ଦ୍ର ମହାପାତ୍ର, ରତ୍ନାକର ମହାନ୍ତି, ହୃଷୀକେଶ ବେହେରା, ରାମ ଚନ୍ଦ୍ର ସ୍ୱାଇଁ, ଶୁଭେନ୍ଦୁ କୁମାର ସାମଲ, ଓ ଜ୍ଞାନେନ୍ଦ୍ର ତ୍ରିପାଠୀ, ବିପିନ ବିହାରୀ ସ୍ୱାଇଁ, ପ୍ରମୁଖ ସ୍ବର୍ଗତ ଶରତ କରଙ୍କ ସ୍ମୃତି ରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ ବକ୍ତବ୍ୟ ରଖିଥିଲେ । ଶେଷରେ ରାମ ଚନ୍ଦ୍ର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ । ଉତ୍ସବ ପରିଚାଳନାରେ ସର୍ଵଶ୍ରୀ ଅଜିତ୍ କୁମାର ସାହୁ, ଅମୂଲ୍ୟ କୁମାର ସ୍ବାଇଁ, ଦିଲ୍ଲୀପ କୁମାର ମହାନ୍ତି, କାର୍ତ୍ତିକ ଚନ୍ଦ୍ର ବିହାରୀ, ଓଡ଼ିଶା ଅଡିଟର ମହାସଂଘର ପ୍ରାକ୍ତନ ସାଂଗଠନିକ ସଂପାଦକ ଅବଦୁଲ କୁଦୁସ, ରାଜ କୁମାର ବେହେରା, ସମ୍ ଶେର ଅଲ୍ଲୀ, ଦୀପ୍ତି ରଞ୍ଜନ ମହାପାତ୍ର, ଅଶୋକ କୁମାର ବେହେରା, ପାର୍ଥ ସାରଥି ନାୟକ, ଅବନୀ ସାହୁ, ବିଚିତ୍ରାନନ୍ଦ ସାହୁ, ମୁନା ମହାନ୍ତି ଓ ମାଧବ ପଲେଇ ପ୍ରମୁଖ ସହଯୋଗ କରିଥିଲେ ।