(ଶିଳାସ୍ମିତା ରାୟ) ଭୁବନେଶ୍ୱର: ୨୦୦୧ ଡିସେମ୍ବର ୧୩ରେ ପାର୍ଲାମେଣ୍ଟ ଆକ୍ରମଣ ଘଟଣା ପରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ସୀମା ପାରି ଆତଙ୍କବାଦୀ ଠିକଣା ଉପରେ ଏୟାର ଷ୍ଟ୍ରାଇକ କରିବାର ଯୋଜନା କରିଥିଲେ । ପାର୍ଲାଆମେଣ୍ଟ ଆକ୍ରମଣ ଜୈଶ ଏ ମହମ୍ମଦ ଦ୍ୱାରା ହୋଇଥିଲା । ତେଣୁ ଏୟାର ଷ୍ଟ୍ରାଇକ ପାଇଁ ବାଜପେୟୀଙ୍କୁ ବାଧ୍ୟ କରିଥିଲା । ପୂର୍ବ ନୌସେନା ପ୍ରମୁଖ ଏଡନିରଲ ସୁଶୀଳ କୁମାରଙ୍କ ପ୍ରକାଶିତ ଏକ ପୁସ୍ତକରେ ସେ ଏହା ଉଲ୍ଲେଖ କରିଛନ୍ତି ।
ଜୁନ ୨୮ ତାରିଖରେ ରାଜଧାନୀ ଦିଲ୍ଲୀରେ ଉନ୍ମୋଚିତ ହୋଇଥିବା ପୁସ୍ତକ ଏ ପ୍ରାଇମ ମିନିଷ୍ଟର ଟୁ ରିମେମ୍ବରରେ ସୁଶୀଳ ଉଲ୍ଲେଖ କରିଛନ୍ତି ଜୈଶର ୫ ଜଣ ଆତଙ୍କବାଦୀ ପାର୍ଲାମେଣ୍ଟ ଉପରେ ଆକ୍ରମଣ କରିଥିଲେ । ଏହା ପରେ ତିନି ସେନାର ମୁଖ୍ୟ ରକ୍ଷାମନ୍ତ୍ରୀ ଜର୍ଜ ଫର୍ଣ୍ଣାଡିଜ ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ବ୍ରଜେଶ ମିଶ୍ରା ଆର୍ମି ଅପରେଶନ କୋଠରୀରେ ବୈଠକ କରିଥିଲେ । ଏହି ବୈଠକରେ ଏଲଓସି ପାର ଓ ପାକ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଶିବିରଗୁଡିକ ଉପରେ ଆକ୍ରମଣ ପାଇଁ ଯୋଜନା ହୋଇଥିଲା । ମିରାଜ ୨୦୦୦ ଯୁଦ୍ଧ ବିମାନକୁ ଆକ୍ରମଣ ପାଇଁ ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ଶେଷ ସମୟରେ ଗୁଇନ୍ଦା ରିପୋର୍ଟକୁ ନେଇ ଯୋଜନାକୁ ରଦ୍ଦ କରାଯାଇଥିଲା । ଗୁଇନ୍ଦା ରିପୋର୍ଟ ଦେଇଥିଲା, ପାକ ସେନା ଏକ ସ୍କୁଲ ଓ ବଡ ହସ୍ପିଟାଲରେ ଆତଙ୍କୀ କ୍ୟାମ୍ପ ସ୍ଥାନାନ୍ତର କରିଥିଲା ।
ତେଣୁ ଏୟାର ଷ୍ଟ୍ରାଇକକୁ ରଦ୍ଦ କରି ସୀମାରେ ବ୍ୟାପକ ସେନା ମୁତୟନ କରାଯାଇଥିଲା । ଆକ୍ରମଣ ନିର୍ଦ୍ଦେଶ ପାଇଁ ସେନା ଅପେକ୍ଷା କରିଥିଲା । କିନ୍ତୁ ଅକ୍ଟୋବର ୨୦୦୨ ଯାଏ ନିର୍ଦ୍ଦେଶ ମିଳିନଥିଲା । ସେନା ମୁତୟନ କାଳରେ ୭୯୮ ଜଣ ସୈନିକଙ୍କ ମୃତ୍ୟୁ ହୋଇଥିଲା । ଅପରେସନ ପରାକ୍ରମ ଏକ ବିପର୍ଯ୍ୟୟରେ ପରିଣତ ହେଲା । ଏହି ପୁସ୍ତକରେ ଏଡମିରାଲ ସୁଶୀଲ ସଶସ୍ତ୍ର ବଳର ନିୟୋଜନ, ନେତୃତ୍ୱ ସମ୍ବନ୍ଧିତ କମିକୁ ଉକ୍ସାଗର କରିଛନ୍ତି ।