(ରିିପୋର୍ଟସ ଟୁଡେ/ଭୁବନେଶ୍ୱର଼): ରାତି ୧୦ଟା ପରେ ଅପେରା ପରିବେଷଣ ମନା । ଅର୍ଥାଥ କୌଣସି ଅପେରା ପାର୍ଟି ରାତି ୧୦ ଟା ପରେ ଯାତ୍ରା ପରିବୋଷଣ କରିପାରିବେ ନାହିଁ ବୋଲି କଟକଣା ଜାରି କରିଛନ୍ତି। ଏହାକୁ ଉଲ୍ଲଂଘନ କଲେ ଯାତ୍ରା କମିଟି ସମେତ ଯାତ୍ରା ପରିବେଷଣ ହେଉଥିବା ସ୍ଥାନୀୟ ପ୍ରଶାସନ ବିରୋଧରେ ଫୌଜଦାରି ମାମଲା ରୁଜୁ କରାଯିବ। ମୁଖ୍ୟ ବିଚାରପତି କେ.ଏସ୍. ଝାବେରୀ ଓ ବିଚାରପତି କେ.ଆର୍. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି। ଆଠଗଡ଼ କୁଲେଇଲୋ ଗ୍ରାମବାସୀଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ଖଣ୍ଡପୀଠ ଏଭଳି ଆଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ଜଣାପଡ଼ିଛି ଯେ, କୁଲେଇଲୋ ଅଞ୍ଚଳରେ ହାଡ଼ଭଙ୍ଗା ଚିକିତ୍ସା ପାଇଁ ଏକ ଆୟୁର୍ବେଦିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ଦୈନିକ ବହୁସଂଖ୍ୟକ ହାଡ଼ଭଙ୍ଗା ରୋଗୀ ଚିକିତ୍ସା ନିମନ୍ତେ ଏଠାକୁ ଆସିଥାନ୍ତି। ମାତ୍ର ଚିକିତ୍ସା କେନ୍ଦ୍ରର ଅନତି ଦୂରରେ ବର୍ଷର ବିଭିନ୍ନ ସମୟରେ ଅପେରା ପରିବେଷଣ କରାଯାଇଥାଏ। ଏହାଦ୍ୱାରା ରୋଗୀମାନେ ସମସ୍ୟା ଭୋଗିଥାନ୍ତି ବୋଲି ପିଟିଶନରେ ଉଲ୍ଲେଖ ଅଛି। ପିଟିଶନରେ ଆହୁରି ଦର୍ଶାଯାଇଛି ଯେ, ଯାତ୍ରା ପରିବେଷଣ ନିମନ୍ତେ ପ୍ରଶାସନ ଯେଉଁ ଅନୁମତି ଦେଇଥାଏ ତାହାକୁ ଯାତ୍ରା ଆୟୋଜନ କରୁଥିବା କମିଟିଗୁଡ଼ିକ ଉଲ୍ଲଂଘନ କରିଥାନ୍ତି ବୋଲି ପିଟିଶନରେ ଦର୍ଶାଯାଇଛି। କାରଣ ଯାତ୍ରା ପାଇଁ ସକାଳ ୧୦ଟାରୁ ରାତି ୧୦ଟା ପର୍ୟ୍ୟନ୍ତ ଅନୁମତି ଥିବାବେଳେ ରାତି ୧୨ଟା ପରେ ଯାତ୍ରା ଆରମ୍ଭ ହୋଇ ରାତି ପାହିବା ପର୍ୟ୍ୟନ୍ତ ଚାଲିଥାଏ ବୋଲି ଦର୍ଶାଯାଇଛି।