ବର୍ଷକ ମଧ୍ୟରେ ପଦ୍ମପୁରକୁ ମିଳିବ ଜିଲ୍ଲା ମାନ୍ୟତା: ନବୀନ କହିଲେ, ମୁଁ କଥା ନୁହେଁ କାମରେ ବିଶ୍ୱାସ କରେ

ଉପ ନିର୍ବାଚନ ସମୟରେ କେନ୍ଦ୍ରମନ୍ତ୍ରୀମାନେ ଦେଇଥିବା ପ୍ରତିଶ୍ରୁତିକୁ ମନେ ପକାଇଦେଲେ ମୁଖ୍ୟମନ୍ତ୍ରୀ |

0

ପଦ୍ମପୁର : ବର୍ଷକ ମଧ୍ୟରେ ପଦ୍ମପୁରକୁ ମିଳିବ ଜିଲ୍ଲା ମାନ୍ୟତା । ଝାରବନ୍ଧରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଝାରବନ୍ଧରେ ଆୟୋଜିତ ସାଧାରଣ ସଭାକୁ ଉଦବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ପୁଣି ଝାରବନ୍ଧକୁ ଆସି ବହୁତ ଖୁସି। ଲୋକଙ୍କ ସ୍ନେହଶ୍ରଦ୍ଧା ମୋତେ ଅଭିଭୂତ କରିଛି। ଏଥିଲାଗି ମୁଁ ଆପଣମାନଙ୍କ ନିକଟରେ ଋଣୀ। ମିଶନ ଶକ୍ତିର ମାମାନେ ଭଲ କାମ କରୁଛନ୍ତି। ମିଶନ ଶକ୍ତିର ମା’ମାନଙ୍କୁ ୧ କୋଟି ୨୩ ଲକ୍ଷ ଟଙ୍କାର ସହାୟତା ରାଶି ଦିଆଯାଇଛି। ଏହି ଟଙ୍କାକୁ ବ୍ୟବହାର କରି ମା’ମାନେ ଉଦ୍ୟୋଗୀ ହେବେ। ବିକାଶ ପାଇଁ ସାଧାରଣ ଲୋକ ଦେଇଥିବା ପ୍ରସ୍ତାବକୁ ମୋ ସରକାରକୁ ଗ୍ରହଣ କରିଛନ୍ତି। ପାଇକମାଳ ପିଏଚସିକୁ ସିଏଚସି କରାଯାଇଛି । ପଦ୍ମପୁରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ୯୦ କୋଟି ଟଙ୍କା ମଂଜୁର କରାଯାଇଛି। ପଦମପୁର ବର୍ଷକ ଭିତରେ ଜିଲ୍ଲା ହେବ। ମୁଁ ଯାହା ପ୍ରତିଶ୍ରୁତି ଦିଏ ତାକୁ ପୁରା କରେ। ମୁଁ କଥାରେ ନୁହେଁ, କାମରେ ବିଶ୍ୱାସ କରେ।

କେବଳ ଏତିକି ନୁହେଁ, ଉପ ନିର୍ବାଚନ ସମୟରେ କେନ୍ଦ୍ରମନ୍ତ୍ରୀମାନେ ଦେଇଥିବା ପ୍ରତିଶ୍ରୁତିକୁ ମଧ୍ୟ ମନେ ପକାଇଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀ କହିଥିଲେ, ରେଲୱ, କେନ୍ଦୁପତ୍ରକୁ ନେଇ କେନ୍ଦ୍ରମନ୍ତ୍ରୀ ମାନେ ଯେଉଁ ସବୁ ପ୍ରତିଶୃତି ଦେଇଥିଲେ ପ୍ରଭୁ ନରସିଂହଙ୍କ ପାଖରେ ମୁଁ ପ୍ରାର୍ଥନା କରୁଛି କି କେନ୍ଦ୍ରମନ୍ତ୍ରୀମାନଙ୍କୁ ସେମାନଙ୍କ ପ୍ରତିଶୃତି ବିଷୟରେ ଟିକେ ମନେ ପକାଇଦିଅନ୍ତୁ ।

ତେବେ ଝାରବନ୍ଧର ଏହି କାର୍ଯ୍ୟକ୍ରମରେ ସେ ୧୧ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି । ୮ କୋଟି ୮୫ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ୯୦ କୋଟି ୨୪ ଲକ୍ଷ ଟଙ୍କାର ୩୩୦ଟି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।