ବାପା-ମାଙ୍କ ସମ୍ପର୍କକୁ ନେଇ ରଣବୀର ଆହ୍ଲାବାଦିଆ ଦେଇଥିବା ଅଶ୍ଲୀଳ ମନ୍ତବ୍ୟ ପାଇଁ ବିବାଦ

0

ବ୍ୟୁରୋ : ବିବାଦ ଘେରରେ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ । ବାପା-ମାଙ୍କ ସମ୍ପର୍କକୁ ନେଇ ଏକ କମେଡି ଶୋରେ ଦେଇଥିବା ଅଶ୍ଲୀଳ ମନ୍ତବ୍ୟକୁ ନେଇ ସାରା ଦେଶରେ ମୁଣ୍ଡ ଟେକିଲାଣି ବିବାଦ । ରଣବୀର ଦେଇଥିବା ବୟାନକୁ ନେଇ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି ହୋଇଛି । ରଣବୀରଙ୍କ ବିରୋଧରେ ଦେଶର ଅନେକ ସ୍ଥାନରେ ଥାନାରେ ମାମଲା ହୋଇଛି । ଏପରିକି ତୁରନ୍ତ କାର୍ଯ୍ୟାନୁଷ୍ଠାନ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ନିକଟରେ ଅଭିଯୋଗ କରିଛନ୍ତି ବମ୍ବେ ହାଇକୋର୍ଟର ଆଇନଜୀବୀ ।


ସୂଚନା ଯୋଗ୍ୟ ଯେ, ଇଣ୍ଡିଆସ୍ ଗଟ୍ ଲାଟେଣ୍ଟ ନାମକ ଏକ ସୋ’ ରେ ଭାରତର ଏହି ଚର୍ଚ୍ଚିତ ୟୁଟ୍ୟୁବର୍ ନଜର ଆସିଥିଲେ । ଏଥିରେ ସେ ଛୋଟପିଲା ଓ ମା ବାପାଙ୍କ ସମ୍ପର୍କ ସହ ଅନେକ ଗୁଡିଏ ଅଶ୍ଲୀଳ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ରଣବୀରଙ୍କୁ ସୋସିଆଲ ମିଡିଆରେ ଅନେକ ୟୁଜର୍ସ ଭର୍ତ୍ସନା କରିଛନ୍ତି ।

“ବିଅର ବାଇସେପ୍ସ” ନାମରେ ରଣବୀର ଏକ ୟୁଟୁବ ଚାନେଲ କରିଛନ୍ତି। ଅନେକ ସମୟରେ ଧାର୍ମିକ ଗୁରୁଙ୍କ ସହ ଆଲୋଚନା ଓ ଫିଟନେସ ସମ୍ବନ୍ଧୀୟ ଟିପ୍ସ ଦେଇ ଚର୍ଚ୍ଚିତ ହୋଇଛନ୍ତି । ଆଜିର ଯୁବପିଢ଼ି ତାଙ୍କୁ ନିଜ ରୋଲ୍ ମଡେଲ ବୋଲି ଭାବନ୍ତି । କିନ୍ତୁ ଏଭଳି ବୟାନକୁ ତାଙ୍କ ଫୋଲଅର୍ସ ମଧ୍ୟ ନାପସନ୍ଦ କରିଛନ୍ତି ।

ରଣବୀର ଏହି ଘଟଣା ପରେ ଏକ ବିବୃତି ଜାରି କରି କହିଛନ୍ତି, ଭୁଲରେ ଏଭଳି କହିଦେଲେ ଓ ଏଥିପାଇଁ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି । ସେପଟେ ମୁମ୍ବାଇ ସ୍ଥିତ ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ ସୋରେ ପହଞ୍ଚିଛି ମୁମ୍ବାଇ ପୋଲିସ।