ପାକିସ୍ତାନୀ ମହିଳା ଗୁପ୍ତଚରଙ୍କ ପ୍ରେମରେ ପଡି ତଥ୍ୟ ଦେଇଦେଲେ ଡିଆରଡିଓ ବୈଜ୍ଞାନିକ

0

ବ୍ୟୁରୋ ରିପୋର୍ଟ: ପଡୋଶୀ ଦେଶ ପାକିସ୍ତାନ ସହ ଗୁପ୍ତ ସୂଚନା ବାଣ୍ଟି ଗିରଫ ହୋଇଛନ୍ତି ଡିଆରଡିଓ ବୈଜ୍ଞାନିକ ପ୍ରଦୀପ କୁରୁଲକର । ଏହି ଘଟଣାରେ ବୈଜ୍ଞାନିକ ପ୍ରଦୀପ କୁରୁଲକରଙ୍କ ବିଷୟରେ ଚାର୍ଜସିଟରେ ଏକ ବଡ଼ ଖୁଲାସା ହୋଇଛି। ପ୍ରଦୀପ କୁରୁଲକର ପାକିସ୍ତାନୀ ମହିଳା ଗୁପ୍ତଚର ଅପରେଟିଭଙ୍କ ସହ ସହ ଭାରତର କ୍ଷେପଣାସ୍ତ୍ର, ଡ୍ରୋନ୍ ଏବଂ ରୋବୋଟିକ୍ସ କାର୍ୟ୍ୟକ୍ରମ ସମ୍ବନ୍ଧୀୟ ସୂଚନା ବାଣ୍ଟିଥିବା ଦର୍ଶାଇ ଏଟିଏସ୍ ଜୁନ୍ ୩୦ ରେ ଏକ ସ୍ୱତନ୍ତ୍ର କୋର୍ଟରେ ଏହାର ଚାର୍ଜସିଟ୍ ଦାଖଲ କରିଥିଲା।
ଚାର୍ଜ ସିଟରେ କ’ଣ ଅନ୍ତର୍ଭୂକ୍ତ ହୋଇଛି
ଚାର୍ଜସିଟ ଅନୁଯାୟୀ, ପାକିସ୍ତାନୀ ଏଜେଣ୍ଟ ସୋସିଆଲ ମିଡିଆରେ କୁରୁଲକରଙ୍କ ସହ ଯୋଡି ହେବା ପାଇଁ ବିଭିନ୍ନ ନାମରେ ନକଲି ଆକାଉଣ୍ଟ ତିଆରି କରିଥିଲେ। ଏହି ଦୁଇଟି ନାମ ଥିଲା ଜାରା ଦାସଗୁପ୍ତ ଏବଂ ଜୁହି ଆରୋରା । ବାସ୍ତବରେ ଜାରା ଦାସଗୁପ୍ତାଙ୍କ ନାମରେ ଏକ ଆଇଡି ତିଆରି କରି ମହିଳା ଏଜେଣ୍ଟ ନିଜକୁ ବ୍ରିଟେନର ଜଣେ ସଫ୍ଟୱେର ଏଜେଣ୍ଟ ବୋଲି ପରିଚୟ ଦେଇଥିଲେ । କେବଳ ଏତିକି ନୁହେଁ ଜାରା ପ୍ରଦୀପଙ୍କ ସହ ବନ୍ଧୁତା କରି ବ୍ରହ୍ମୋସ ଲଞ୍ଚର୍, ଅଗ୍ନି ମିସାଇଲ୍ ଲଞ୍ଚର୍ ଏବଂ ମିଲିଟାରୀ ବିଡିଂ ସିଷ୍ଟମ୍, ଡ୍ରୋନ୍, ୟୁସିଭି ଏବଂ ଅନ୍ୟାନ୍ୟ ଜିନିଷ ବିଷୟରେ ସୂଚନା ମାଗିଥିଲେ। ଏହା ପରେ ପ୍ରଦୀପ ଏହି ସମସ୍ତ ତଥ୍ୟ ସଂଗ୍ରହ କରି ପାକିସ୍ତାନୀ ଏଜେଣ୍ଟକୁ ପଠାଇଥିଲେ। ଟିଏସ୍ ପୁଲିସ ଚାର୍ଜସିଟରେ ଏହା ପର୍ଦ୍ଦାଫାଶ କରିଛି । ଏହାପରେ କୁରୁଲକରଙ୍କୁ ନ୍ୟାୟିକ ହେପାଜତରେ ପଠାଇଦିଆଯାଇଛି ।
ଏହା ବ୍ୟତୀତ ଚାର୍ଜସିଟରେ କୁହାଯାଇଛି ଯେ ପ୍ରଦୀପ ଜାରାଙ୍କ ସାମ୍ନାରେ ନିଜ କାମ ବିଷୟରେ ଗର୍ବ କରୁଥିଲେ। ଏହି ୧୮୩୭ ପୃଷ୍ଠାର ଚାର୍ଜସିଟରେ ଅନ୍ତର୍ଭୁକ୍ତ ହୋଇଥିବା ଏକ ଚାଟରେ ପାକିସ୍ତାନୀ ଏଜେଣ୍ଟମାନେ ପଚାରିଥିଲେ ଯେ ଅଗ୍ନି -୬ ଲଞ୍ଚର ପରୀକ୍ଷା ସଫଳ ହୋଇଛି କି ନାହିଁ, ସେ ଉତ୍ତର ଦେଇଥଲେ ଯେ ଲଞ୍ଚର୍ ମୋର ଡିଜାଇନ୍। ଏହା ଏକ ବଡ଼ ସଫଳତା ଥିଲା। କୁରୁଲକର ଏବଂ ପାକିସ୍ତାନୀ ଏଜେଣ୍ଟମାନଙ୍କ ମଧ୍ୟରେ ଏହି ଚାଟ୍ ସେପ୍ଟେମ୍ବର ୨୦୨୨ ରୁ ଫେବୃଆରୀ ୨୦୨୩ ମଧ୍ୟରେ ହୋଇଥିଲା ।
ପାକିସ୍ତାନର ଗୁପ୍ତଚର ଅଧିକାରୀଙ୍କ ସହ ଲିଙ୍କ ଅଭିଯୋଗରେ ମହାରାଷ୍ଟ୍ରର ଆତଙ୍କବାଦ ବିରୋଧୀ ସ୍କ୍ୱାଡ (ଏଟିଏସ) ଦ୍ୱାରା ପ୍ରଦୀପ କୁରୁଲକରଙ୍କୁ ଗିରଫ କରାଯାଇଥିଲା। କୁରୁଲକର ଅନେକ ବଡ ପ୍ରକଳ୍ପର ଅଂଶବିଶେଷ, ସେ ଗ୍ରାଉଣ୍ଡ ସିଷ୍ଟମରେ ଲଞ୍ଚର୍ ଏବଂ ଭାରତର ଅସ୍ତ୍ରଶସ୍ତ୍ରରେ ପ୍ରାୟ ସମସ୍ତ କ୍ଷେପଣାସ୍ତ୍ର ଉତକ୍ଷେପଣରେ ଜଡିତ ଥିଲେ।