ବ୍ୟୁରୋ: ବିଦ୍ୟୁତ୍ ବିଲ୍ ପଇଠ ନକରିବାରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଛି । ଏଭଳି ଘଟଣା ଘଟିଛି ସରକଣା ପଞ୍ଚାୟତରେ । ସରକଣା ପଞ୍ଚାୟତ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପକୁ ଦିଆଯାଇଥିବା ଲାଇନ୍ ସଂଯୋଗ କାଟି ଦିଆଯାଇଛି। ଫଳରେ ପ୍ରାୟ ସପ୍ତାହେ ହେଲା ପାଣି ଯୋଗାଣ ଠପ୍ ହୋଇଯାଇଛି। ରଣପୁର, ସରକଣା, ବ୍ରାହ୍ମଣସୁଆଁଲୋ ଏବଂ ଦଣ୍ଡିଲୋ ବସୁଧା ପ୍ରକଳ୍ପରେ ଏହି ସମସ୍ୟା ଦେଖାଯାଇଛି। ତେଣୁ ୧୫ଟି ୱାର୍ଡର ଲୋକେ ପିଇବା ପାଣି ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ଗ୍ରାମରେ ଥିବା ନଳକୂପ ପ୍ରାୟ ଅଚଳ ହୋଇ ପଡି ରହିଥିବାବେଳେ ହଜାର ହଜାର ଲୋକ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏସଂପର୍କରେ ବ୍ଲକ୍ର ଗ୍ରାମ୍ୟ ଜଳ ଯୋଗାଣ ସହକାରୀ ନିର୍ବାହୀ ଯନ୍ତ୍ରୀ ଅଳକାନନ୍ଦା ପାଣିଗ୍ରାହୀଙ୍କୁ ପଚାରିବାରେ ସେ ପ୍ରକଳ୍ପଗୁଡ଼ିକରେ ଲାଗିଥିବା ସ୍ମାର୍ଟ ମିଟର ବା ପ୍ରିପେଡ୍ ବ୍ୟବସ୍ଥାକୁ ଦାୟୀ କରିଛନ୍ତି। ଅନ୍ୟପକ୍ଷରେ ସରପଞ୍ଚ ବିଷ୍ଣୁପ୍ରିୟା ସାହୁଙ୍କ କହିବା କଥା ସ୍ମାର୍ଟ ମିଟର ଲାଗିବା ପରେ ଯଥେଷ୍ଟ ଅଧିକ ପରିମାଣର ବିଲ୍ ଉଠୁଛି। ଆଗରୁ ଏତେ ଟଙ୍କା ଆସୁନଥିଲା। ତେଣୁ ଠିକ୍ ସମୟରେ ବିଲ୍ ପଇଠ କରିବା ସମ୍ଭବ ହେଉନାହିଁ ବୋଲି ସେ କହିଛନ୍ତି ।