(ମମତା ସାମଲ)ରିପୋର୍ଟସଟୁଡେ: ଜଳ ସଙ୍କଟ ଦୂର ପାଇଁ ରାଜସ୍ଥାନରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦୈନିକ ୭୦ଲିଟର ପାଣି ଯୋଗାଇବା ନିମନ୍ତେ ଏକ ନୂଆ ଆଇନ ପ୍ରସ୍ତୁତ ହେବାକୁ ଯାଉଛି । ଜଣେ ସରକାରୀ ଅଧିକାରୀଙ୍କ ସୂଚନାଅନୁଯାୟୀ,ଯିଏ ଏହି ଆଇନର ଉଲ୍ଲଂଘନ କରିବ,ତାକୁ ଦେଢ ବର୍ଷର କାରାଦଣ୍ଡ ସହ ୧ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡିବ । ନଚେତ୍ ଜେଲ ଓ ଜରିମାନା ଉଭୟର ସାମ୍ନା କରିବାକୁ ପଡ଼ିବ। ତେବେ ବର୍ତ୍ତମାନ ସୁଦ୍ଧା ଏହି ଆଇନରେ କ’ଣ ସବୁ ସର୍ତ୍ତ ରହିଛି, ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ।
ଜଳ ସଂସାଧନ ବିଭାଗ(ଡବ୍ଲୁଆରଡି)ର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ରାଜସ୍ଥାନ ଜଳ ବିଲର ଡ୍ରାଫ୍ଟ ପ୍ରସ୍ତୁତ ହୋଇସାରିଛି ଓ ତାହା ଏବେ ବିଚାରାଧୀନ ରହିଛି। ବିଧାନସଭାରେ ଆଗତ ହେବା ପୂର୍ବରୁ ମଞ୍ଜୁରୀ ଲାଗି କ୍ୟାବିନେଟକୁ ପଠାଯିବ। ଏହା କାର୍ୟ୍ୟକାରୀ ହେବା ପରେ ରାଜସ୍ଥାନ ଦେଶର ପ୍ରଥମ ରାଜ୍ୟ ହେବ, ଯେଉଁଠି ପ୍ରତ୍ୟେକଙ୍କ ଘରେ ନ୍ୟୁନତମ ପାଣି ଯୋଗାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ଆଇନ ଥିବ।
ଉକ୍ତ ଡ୍ରାଫ୍ଟ ବିଲ୍ ଅନୁସାରେ, ପ୍ରତ୍ୟେକ ବ୍ୟକ୍ତିକୁ ସୁସ୍ଥ ତଥା ଗରିମାପୂର୍ଣ୍ଣ ଜୀବନ ଜିଇଁବା ପାଇଁ ଏକ ଆଧାର ସଦଶ ପାଣି ଉପଲବ୍ଧ କରାଇବା ହେଉଛି ମୌଳିକ ଅଧିକାର। ଆଉ କୌଣସି ବି ପରିସ୍ଥିତିରେ ଭୂତଳ ଏବଂ ବାହ୍ୟ ଜଳର ପରିମାଣ ଜଣେ ବ୍ୟକ୍ତିଙ୍କ ପାଇଁ ୭୦ ଲିଟରରୁ କମ୍ ହେବା ଉଚିତ ନୁହେଁ। ଆଇନ ଏହା ମଧ୍ୟ ସୁନିଶ୍ଚିତ କରିବ ଯେ, ରାଜ୍ୟ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ମାନଦଣ୍ଡ ଅନୁସାରେ ଲୋକଙ୍କୁ ଗୁଣବତ୍ତାପୂର୍ଣ୍ଣ ପାଣି ମିଳିବ।