ଯମୁନା ନଦୀ କୂଳରେ ଖୋଲିଛ ହାତୀଙ୍କ ପାଇଁ ଦେଶର ପ୍ରଥମ ଡ଼ାକ୍ତରଖାନା

0

( ରିପୋର୍ଟସ ଟୁଡ଼େ): ଐତିହାସିକ ଯମୂନା ନଦୀ କୂଳରେ ଖୋଲିଛି କେବଳ ହାତୀଙ୍କ ପାଇଁ ଦେଶର ପ୍ରଥମ ଡାକ୍ତରଖାନା। ଉତ୍ତରପ୍ରଦେଶର ପୌରାଣିକ ସହର ମଥୁରାରେ ୧୨,୦୦୦ ବର୍ଗଫୁଟ ପରିମିତ ଅଞ୍ଚଳରେ ଗଢ଼ି ଉଠିଥିବା ଏହି ହାତୀଙ୍କ ହସ୍ପିଟାଲ୍‌ ଗତ ଶୁକ୍ରବାରରୁ କାର୍ୟ୍ୟକ୍ଷମ ହୋଇଛି। ହିନ୍ଦୁ ଧର୍ମର ଏକ ପବିତ୍ର ସ୍ଥାନ ଭାବେ ଗଣାଯାଉଥିବା ମଥୁରାରେ ‘ଗଜରାଜଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସାଳୟ’ କେବଳ ପଶୁପ୍ରେମୀ କି ପରିବେଶବିତ୍‌ମାନଙ୍କୁ ଖୁସି କରିନାହିଁ, ବରଂ ଏହା ଦେଶ ବିଦେଶର ପର୍ୟ୍ୟଟକଙ୍କ ପାଇଁ ଏବେ ପ୍ରମୁଖ ଆକର୍ଷଣ ପାଲଟିବାକୁ ଯାଉଛି। ଏହି ହସ୍ପିଟାଲ୍‌ରେ ଆହତ, ଦୁର୍ବଳ ଓ ବୟସ୍କ ହାତୀମାନଙ୍କ ଚିକିତ୍ସା ପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ରହିଛି। ବିଶେଷ କରି ୱୟାର୍‌ଲେସ୍‌ ଡିଜିଟାଲ୍‌ ଏକ୍ସ-ରେ, ଥର୍ମାଲ୍ ଇମେଜିଂ, ଅଲ୍‌ଟ୍ରାସୋନୋଗ୍ରାଫି ଓ ଟ୍ରାଙ୍କ୍ୟୁଲାଇଜେସନ୍‌ ଭଳି ଅତ୍ୟାଧୁନିକ ବ୍ୟବସ୍ଥା ମଧ୍ୟ ରହିଛି। ଏହି ‘ହାତୀ ହସ୍ପିଟାଲ୍‌’ ଯମୁନା ନଦୀ କୂଳରେ ଥିବା ହାତୀ ଅଭୟାରଣ୍ୟ ଓ କେୟାର୍‌ ସେଣ୍ଟର୍‌ ନିକଟରେ ରହିଛି। ୱାଇଲ୍‌ଡ୍ ଲାଇଫ୍ ଏସ୍‌ଓଏସ୍‌ ଦ୍ୱାରା ପରିଚାଳିତ ଏହି ସଂରକ୍ଷିତ ଅଞ୍ଚଳରେ ପ୍ରାୟ ୨୨ଟି ହାତୀ ଅଛନ୍ତି। ଏହି ଚିକିତ୍ସାଳୟ କାର୍ୟ୍ୟାରମ୍ଭ କରିବା ପରେ ୪୯ ବର୍ଷ ବୟସର ହାତୀ ‘ଆଶା’ ଏଠାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛି। ଆଉ, ଏକ ଷ୍ଟୁଲ୍‌ରେ ହାତୀର ପାଦକୁ ରଖି ଡାକ୍ତରମାନେ ତାକୁ ଚିକିତ୍ସା କରୁଥିବାର ଦୃଶ୍ୟକୁ ସେଠାରେ ରୁଣ୍ଡ ହୋଇଥିବା ଦର୍ଶକ ଓ ପର୍ୟ୍ୟଟକମାନେ ନିଜ ନିଜ ମୋବାଇଲ୍‌ ଫୋନ୍ ଯୋଗେ ରେକର୍ଡିଂ ମଧ୍ୟ କରିଛନ୍ତି। ରିପୋର୍ଟ ମୁତାବକ, ଭାରତରେ ହାତୀଙ୍କ ସଂଖ୍ୟା ୨୦୧୨ ଗଣନା ଅନୁସାରେ ୩୦,୭୧୧ ଥିବାବେଳେ ୨୦୧୭ରେ ଏହା ହ୍ରାସ ପାଇ ୨୭, ୩୧୨ରେ ପହଞ୍ଚିଛି।