ଏଣିକି ରାଜ୍ୟ ସରକାରଙ୍କ ସମସ୍ତ କର୍ମଚାରୀ ନିର୍ଦ୍ଧାରିତ ସମୟ ମଧ୍ୟରେ ସେମାନଙ୍କ କାର୍ଯ୍ୟାଳୟରେ ପହଞ୍ଚିବେ

0

ଭୁବନେଶ୍ୱର-: ରାଜ୍ୟ ସରକାରଙ୍କ ସମସ୍ତ କର୍ମଚାରୀ ନିର୍ଦ୍ଧାରିତ ସମୟ ମଧ୍ୟରେ ସେମାନଙ୍କ କାର୍ଯ୍ୟାଳୟରେ ପହଞ୍ଚିବେ । ଏହା ସର୍ବୋଚ୍ଚ ସରକାରୀ କର୍ମଚାରୀଙ୍କଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀଙ୍କ ପାଇଁ ପ୍ରଯୁଜ୍ୟ । ଏଥି ନିମନ୍ତେ ସାଧାରଣ ପ୍ରଶାସନ ବିଭାଗ ତରଫରୁ ରାଜ୍ୟର ସମସ୍ତ ସରକାରି କର୍ମଚାରୀଙ୍କ ପାଇଁ ସଠିକ ସମୟରେ ଅଫିସ ଆସିବା ପାଇଁ ନିର୍ଦ୍ଧେଶ ନାମା ଜାରି ହୋଇଛି ।

ସବୁ ସରକାରୀ ଅଫିସରେ ଲାଗିବ ବାୟୋମେଟ୍ରିକ୍ । ପ୍ରତ୍ୟେକ କର୍ମଚାରୀ ତାଙ୍କର ‘ଅଫିସ ଇନ’ ଏବଂ ‘ଅଫିସ ଆଉଟ ‘ ବାୟୋମେଟ୍ରିକ୍ ଆଟେଣ୍ଡେନ୍ସ ରେକର୍ଡିଂ ଡିଭାଇସରେ ରେକର୍ଡ କରିବେ । ‘ଅଫିସ ଆଉଟ ‘ ସମୟ ରେକର୍ଡ ନ କରିବା ଦିନ ଡ୍ୟୁଟିରୁ ଅନୁପସ୍ଥିତି ଭାବରେ ବିବେଚନା କରାଯିବ । ଯେଉଁ କାର୍ଯ୍ୟାଳୟଗୁଡ଼ିକରେ କର୍ମଚାରୀମାନେ ରୋଷ୍ଟର ଆଧାରରେ ଉପସ୍ଥିତ ରହିବାକୁ ବାଧ୍ୟତାମୂଳକ, ସେଠାରେ କାର୍ଯ୍ୟାଳୟ ମୁଖ୍ୟ ଏହି ମର୍ମରେ ନିର୍ଦ୍ଦେଶ ଜାରି କରିବେ ଏବଂ ରିପୋର୍ଟିଂ ପାଇଁ ଉଲ୍ଲେଖ କରାଯାଇଥିବା ସମୟକୁ ନିର୍ଦ୍ଧାରିତ ସମୟ ଭାବରେ ବିବେଚନା କରାଇବେ ।

ଏକ ମାସରେ ତିନି ଦିନ ଯେକୌଣସି ଦିନ ସର୍ବାଧିକ ୩୦ ମିନିଟ୍ ପର୍ଯ୍ୟନ୍ତ ବିଳମ୍ବ ହେଲେ, କାର୍ଯ୍ୟାଳୟ ମୁଖ୍ୟ କିମ୍ବା ଏଥିପାଇଁ ଉପଯୁକ୍ତ ଭାବରେ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ନିକଟରେ ଉପଯୁକ୍ତ କାରଣ ଦର୍ଶାଇବେ । ଯେକୌଣସି କର୍ମଚାରୀଙ୍କ ପ୍ରତି ତିନି ଦିନ ବିଳମ୍ବରେ ଉପସ୍ଥିତି ପାଇଁ, କର୍ମଚାରୀଙ୍କ ଛୁଟି ଆକାଉଣ୍ଟରୁ ଗୋଟିଏ ଦିନର ଆକସ୍ମିକ ଛୁଟି କଟାଯିବ ।

ଅନେକ କର୍ମଚାରୀଙ୍କୁ ସନ୍ଧ୍ୟାରେ ଦୀର୍ଘ ସମୟ ଏବଂ କେତେକ ସମୟରେ ସରକାରୀ ଛୁଟିଦିନରେ ମଧ୍ୟ ଅଫିସ୍ କାମ ପାଇଁ କାମ କରିବାକୁ ପଡ଼େ, ଏପରି ପରିସ୍ଥିତିରେ, କର୍ମଚାରୀମାନେ ଉପରିସ୍ଥ ଅଫିସରଙ୍କ ସହ ଆଲୋଚନା କରିପାରିବେ । ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ, ପ୍ରତ୍ୟେକ କର୍ମଚାରୀ ପ୍ରତ୍ୟେକ କାର୍ଯ୍ୟ ଦିବସରେ ଅତି କମରେ ୭.୩୦ ଘଣ୍ଟା କାର୍ଯ୍ୟାଳୟରେ ଉପସ୍ଥିତ ରହିବେ । ରାଜ୍ୟପାଳ, ସଚିବାଳୟ, ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିୟୋଜିତ କର୍ମଚାରୀମାନେ ଏହି ନିର୍ଦ୍ଦେଶାବଳୀରୁ ମୁକ୍ତ ରହିବେ ।