ନୂଆଦିଲ୍ଲୀ : ଧାରା ୩୭୦ ଉଚ୍ଛେଦ ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଏହି ଶୁଣାଣି ପାଇଁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଉଭୟ ପକ୍ଷର ଯୁକ୍ତିକୁ ୧୬ ଦିନ ଧରି ଶୁଣାଣି କରି ଆଜି ରାୟ ସଂରକ୍ଷିତ ରଖିଛନ୍ତି। ବରିଷ୍ଠ ଓକିଲ କପିଲ ସିବଲ, ଗୋପାଳ ସୁବ୍ରମଣ୍ୟମ, ରାଜୀବ ଧାୱନ, ଜାଫର ଶାହା, ଦୁଶାନ୍ତ ଡାଭେ ଏବଂ ଅନ୍ୟମାନଙ୍କ ଯୁକ୍ତି ଶୁଣାଣି କରିଥିଲେ।
ସମ୍ବିଧାନର ଧାରା ୩୭୦ ପୂର୍ବରୁ ଜାମ୍ମୁକାଶ୍ମୀରକୁ ସ୍ପେଶାଲ ଷ୍ଟାଟସ୍ ପ୍ରଦାନ କରୁଥିଲା । ହେଲେ ୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଏହାକୁ ହଟେଇ ଦେଇଥିଲେ । ଏହାପରେ ଏହାକୁ ଜାମ୍ମୁକାଶ୍ମୀର ଏବଂ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଭାବେ ବାଣ୍ଟି ଦିଆଯାଇଥିଲା ।
ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଯଦି ଆବେଦନକାରୀଙ୍କ ପକ୍ଷରୁ ଆଉକିଛି ଲିଖିତ ଦଲିଲ ଦାଖଲ କରିବାକୁ ଚାହାଁନ୍ତି, ତେବେ ସେ ଆସନ୍ତା ତିନି ଦିନ ମଧ୍ୟରେ ତାହା କରିପାରିବେ। ତେବେ ଲିଖିତ ଯୁକ୍ତି ଦୁଇଟି ପୃଷ୍ଠାରୁ ଅଧିକ ହେବା ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି।