ୱାୟନାଡ : ପ୍ରକୃତିର କୋପରେ ଛାରଖାର କେରଳର ୱାୟନାଡ । ଚାରି ଆଡ଼େ ଖଣ୍ଡ ବିଖଣ୍ଡିତ ମୃତ ଶରୀର । ଦେଖିଲେ ଦେହ ଶୀତେଇ ଉଠୁଛି । ଏପର୍ଯ୍ୟନ୍ତ ଏହି ଘଟଣାରେ ୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଲୋକ ନିଖୋଜ ଅଛନ୍ତି। ଏହି ଘଟଣାରେ ୪ ଟି ଗାଁ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଭୂସ୍ଖଳନ ହେତୁ ଅନେକ ଘର ଓ ରାସ୍ତା ଭୁଶୁଡି ପଡିବାରୁ ଲୋକଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇପଡିଛି। ଉଦ୍ଧାର କାର୍ଯ୍ୟ ଚାଲିଛି, କିନ୍ତୁ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ଏହି କାମ ପ୍ରଭାବିତ ହେଉଛି ।
ଚେଲିୟାର ନଦୀରେ ଏବେ ବି ଉଦ୍ଧାର ଅପରେସନ୍ ଜାରି ରହିଛି। ଅନେକ ଲୋକଙ୍କର ସମ୍ପୂର୍ଣ୍ଣ ଶରୀର ମିଳୁନାହିଁ। ଶରୀରର ବିଭିନ୍ନ ଅଂଶକୁ ବ୍ୟବଚ୍ଛେଦ ପାଇଁ ନିଆଯାଉଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଆଜି ୱାୟନାଡ଼ରେ ଉଦ୍ଧାର କାର୍ୟ୍ୟ ସମୀକ୍ଷା ପାଇଁ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ନିଖୋଜ ବ୍ୟକ୍ତିଙ୍କୁ ଖୋଜିବାପାଇଁ ଚେଲିୟାର ନଦୀରେ ତଲାସୀ ଅଭିଯାନ ଜାରି ରହିବ ।
ସେପଟେ ଗତକାଲି କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଏବଂ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁରୁବାର କେରଳର ୱାୟନାଡରେ ପହଞ୍ଚିଥିଲେ । ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଘଟଣା ସ୍ଥଳକୁ ଯାଞ୍ଚ କରି ପୀଡିତଙ୍କ ପରିବାର ଲୋକଙ୍କୁ ଭେଟିଥିଲେ। ସେ ପୀଡ଼ିତଙ୍କୁ ସାନ୍ତ୍ୱନା ଦେଇଥିଲେ ଏବଂ ସମସ୍ତ ସମ୍ଭାବ୍ୟ ସାହାଯ୍ୟ ପାଇଁ ସେମାନଙ୍କୁ ଆଶ୍ୱାସନା ଦେଇଥିଲେ।