କେରଳରେ ନୋରୋ ଭାଇରସ : ୨ ସଂକ୍ରମିତ ଚିହ୍ନଟ
ଦେଶରେ କରୋନା ମହାମାରୀ ନିଜର ସ୍ଥିତି ବଜାଇ ରଖିଥିବା ବେଳେ ଲଗାତାର ଭାବେ ଚିନ୍ହଟ ହେଉଛି ନୂଆ ଭାଇରସ ।
(କେରଳ) : ଦେଶରେ କରୋନା ମହାମାରୀ ନିଜର ସ୍ଥିତି ବଜାଇ ରଖିଥିବା ବେଳେ ଲଗାତାର ଭାବେ ଚିନ୍ହଟ ହେଉଛି ନୂଆ ଭାଇରସ । ତେବେ ଏହି କ୍ରମରେ କେରଳରୁ ଚିନ୍ହଟ ହୋଇଛି ନୋରୋ ଭାଇରସ । ଏହି ଭାଇରସ ରାଜଧାନୀ ଥିରୁଅନନ୍ତପୁରମରେ ଥିବା ଭିଜହିନଜାମ ଅଞ୍ଚଳର ୨ ଜଣ ପିଲାଙ୍କୁ ସଂକ୍ରମିତ କରିଛି।
ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରୁ ନୋରୋ ଭାଇରସ ଚିହ୍ନଟ ହୋଇଛି। କେହି ବି ଆତଙ୍କିତ ହୁଅନ୍ତୁ ନାହିଁ। ଉଭୟ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏଲଏମଏସ୍ଏଲପି ସ୍କୁଲର ପିଲାମାନେ ଫୁଡ ପଏଜନିଂ ଓ ଡାଇରାଇରେ ପଡ଼ିବାରୁ ସେମାନଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ନୋରୋ ଭାଇରସ ସାଧାଣତଃ ଅସ୍ୱାସ୍ଥ୍ୟକର ଖାଦ୍ୟ ଓ ତରଳ ପଦାର୍ଥ ମାଧ୍ୟମରେ ଜଣଙ୍କ ଠାରୁ ଆଉ ଜଣଙ୍କୁ ସଂକ୍ରମିତ କରିଥାଏ। ନୋରୋ ଭାଇରସ ସଂସ୍ପର୍ଶରେ ଆସିଥିବାର କୌଣସି ଜିନିଷକୁ ମଧ୍ୟ ଛୁଇଁଲେ ମଧ୍ୟ ଏହା ବ୍ୟାପେ। ଭାଇରସରେ ଆକ୍ରାନ୍ତ ହେଉଥିବା ଲୋକଙ୍କର ଥଣ୍ଡା, ଝାଡ଼ାବାନ୍ତି, ଶରୀରରେ ଅତ୍ୟଧିକ ଯନ୍ତ୍ରଣା ଅନୁଭବ ହୋଇଥାଏ।
ସୂଚନାନୁଯାୟୀ , ରାଜ୍ୟ ସ୍ୱାସ୍ଥ୍ୟ ଲ୍ୟାବରେ ନମୁନାଗୁଡ଼ିକର ପରୀକ୍ଷା କରାଯାଇଥିଲା। ଏହି ସମୟରେ ୨ ଜଣ ପିଲା ନୋରୋ ଭାଇରସରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି। ଏହାପରେ କେରଳ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଭାଇରସ ଚିହ୍ନଟ ହୋଇଥିବା ଅଞ୍ଚଳରୁ ଅଧିକ ନମୁନା ସଂଗ୍ରହ କରିଛନ୍ତି। ଏଥିସହ ସଂକ୍ରମଣ ରୋକିବାକୁ ସବୁ ପ୍ରକାରର ବ୍ୟବସ୍ଥା ନିଆଯାଇଥିବା ସେ ସୂଚନା ଦେଇଛନ୍ତି।