ଗଞ୍ଜାମ(ହରପ୍ରସାଦ ବିଷୋୟୀ)-ଚଳିତ ବର୍ଷ ଜିଲ୍ଲା ସ୍ତରୀୟ ୭୫ତମ ସ୍ବାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଧ୍ୟକ୍ଷତା କରି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜଣାଇଥିଲେ ଯେ, କୋଭିଡ୍ ର ବିପତ୍ତି ସମୟରେ ନିଜ ଜୀବନ ପ୍ରତି ଖାତିର ନ କରି ଜିଲ୍ଲାର ଅନେକ ବ୍ୟକ୍ତି ବିଶେଷ ସେବା ପ୍ରଦାନ କରିଛନ୍ତି । ଯାହାକି ଚିରସ୍ମରଣୀୟ ଓ ସେମାନେ ସାଧୁବାଦର ପାତ୍ର । ସେହିଭଳି ବ୍ୟକ୍ତି ବିଶେଷଙ୍କ ଉତ୍ତମ ସେବା ନିମନ୍ତେ ସମ୍ମାନୀତ କରିବା ଆବଶ୍ୟକତା ରହିଛି । ଏଣୁକରି ଚଳିତ ବର୍ଷର ୭୫ତମ ସ୍ବାଧୀନତା ଦିବସ ଅବସରରେ ଉକ୍ତ ବ୍ୟକ୍ତି ବିଶେଷଙ୍କୁ ଚୟନ କରାଯାଇ ଜିଲ୍ଲା ସ୍ତରୀୟ ଉତ୍ସବରେ ସମ୍ମାନୀତ କରାଯିବ । ଏଥି ସକାଶେ ସମସ୍ତ ବିଭାଗର ଅଧିକାରୀ ମାନଙ୍କ ଠାରୁ ତାଲିକା ସଂଗ୍ରହ କରିବା ନିମନ୍ତେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାୟ, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଲୀନା କୁମାରୀ ଖେସ୍, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ମାନସ ରଞ୍ଜନ ମହାନ୍ତି, ଡି.ଏସ୍.ପି. ଡି.ଆଇ.ବି. ଅଜୟ କୁମାର ମିଶ୍ର, ସର୍ଜେଣ୍ଟ ସଞ୍ଜୟ କୁମାର ବାରିକ, ବିଜ୍ଞାପିତ ଅଞ୍ଚଳ ପରିଷଦ ଛତ୍ରପୁର କାର୍ୟ୍ୟନିର୍ବାହୀ ଅଧିକାରୀ ଏନ୍. ଗଣେଶ, ରାସ୍ତା ଓ କୋଠାବାଡି ବିଭାଗର ଭାରପ୍ରାପ୍ତ ଉପଖଣ୍ଡ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ଶତପଥୀ, ଜିଲ୍ଲା ଇ-ଗଭର୍ଣ୍ଣାନ୍ସ ପରିଚାଳକ ଗୁରୁ ପ୍ରସାଦ ଦୋରା ପ୍ରମୁଖ ଉପସ୍ଥିତ ଥିଲେ ।