ସୂର୍ଯ୍ୟକାନ୍ତ ବେହେରା ,ମାଲକାନଗିରି : ବହୁ ଚର୍ଚ୍ଚିତ ଲଘୁ ଖଣିଜ ଟେଣ୍ଡର ଶେଷରେ ରଦ୍ଦ ହୋଇଛି । ମାଲକାନଗିରିରେ ଥିବା ସମସ୍ତ 48 ଟି ଲଘୁଖଣି ଟେଣ୍ଡର ରଦ୍ଦ କରିଛନ୍ତି ଜିଲ୍ଲାପାଳ । ପୂର୍ବତନ ଜିଲ୍ଲାପାଳ ଯଦୁଲା ବିଜୟ ଏହି ଟେଣ୍ଡର ପ୍ରକ୍ରିୟାକୁ ଫିକ୍ସିଂ କରିଥିବା ନେଇ ପୂର୍ବତନ କଂଗ୍ରେସ ସାଂସଦ ତଥା ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଅଭିଯୋଗ କରିଥିଲେ ।ଗ୍ରାନାଇଟର ମାଲିକ ବେଣୁଗୋପଲ ଲଘୁ ଖଣିଜ ଟେଣ୍ଡର ପ୍ରକ୍ରିୟାରେ 7ଟି ଖଣି ପାଇଥିଲେ । ତତ୍କାଳୀନ ଜିଲ୍ଲାପାଳ ନିଜ ଘରେ ସମସ୍ତ ଟେଣ୍ଡର ବକ୍ସ ନେଇ ହେରଫେର କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହାପରେ ତଦନ୍ତ କରାଯାଇ ବେଣୁଗୋପଲ ଦାଖଲ କରିଥିବା ସୋଲବେନ୍ସି ସାର୍ଟିଫିକେଟକୁ ମଧ୍ୟ ରଦ୍ଦ କରାଯାଇଥିଲା । ଏହି ଟେଣ୍ଡର ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ରଦ୍ଦ କରିବା ପାଇଁ ବାରମ୍ବାର ଦାବି କରାଯାଉଥିଲା । ମାଲକାନଗିରିରେ ନୂତନ ଭାବେ ଦାୟିତ୍ୱ ନେଇଥିବା ବିଶାଳ ସିଂ ଏହି ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ କରିବା ପରେ ଏଥିରେ ହେରଫେର ହୋଇଥିବା ନେଇ ଜଣାପଡିଥିଲା ।ଏହି ଟେଣ୍ଡର ପ୍ରକ୍ରିୟାକୁ ରଦ୍ଦ କରାଯିବା ପରେ ପୂର୍ବତନ ଜିଲ୍ଲାପାଳ କରିଥିବା ସମସ୍ତ 48 ଟେଣ୍ଡରକୁ ବର୍ତ୍ତମାନର ଜିଲ୍ଲାପାଳ ରଦ୍ଦ କରିଥିବା ସୂଚନା ଦେଇଛନ୍ତି । ସମସ୍ତ ଟେଣ୍ଡର ରଦ୍ଦ ହେବାପରେ ପୂର୍ବତନ ସାଂସଦ ତଥା ରାଜ୍ଯ କଂଗ୍ରେସର କାର୍ଯ୍ୟକାରୀ ସଭାପତି କହିଛନ୍ତି ଖଣି ଦୁର୍ନୀତିରେ ବହୁ ସରକାରୀ ଅଫିସର ସମ୍ପୃକ୍ତ ଅଛନ୍ତି ଏଣୁ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଏକାନ୍ତ ଆବଶ୍ୟକ ।